Categories: ରାଜ୍ୟ

ବନ୍ଦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର, ୮।୧(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ରାଷ୍ଟ୍ରଦ୍ରୋହୀ ନୀତିର ପ୍ରତିବାଦ କରିବା ସହ ୧୨ ଦଫା ଦାବି ନେଇ ୧୦ ଟ୍ରେଡ୍‌ ୟୁନିୟନ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। ବନ୍ଦକୁ ସମର୍ଥନ କରିଛି କଂଗ୍ରେସ ଓ ଅନ୍ୟ କେତେକ ସଂଗଠନ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡା, ପାରାଦୀପ, କୋରାପୁଟ, ବାଲେଶ୍ୱର ଓ ଜଗତ୍‌ସିଂହପୁର ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢାଇ ଦିଆଯାଇଛି। ବନ୍ଦ ସମୟରେ ଯେପରି କୌଣସି ସ୍ଥାନରେ ହିଂସା ନ ଘଟେ ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଲ’ ଆଣ୍ଡ୍‌ ଅର୍ଡର ଦାୟିତ୍ୱରେ ଥିବା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ରାଜ୍ୟର ପ୍ରମୁଖ ସହରଗୁଡିକକୁ ଆବଶ୍ୟକତା ଅନୁଯାୟୀ ପୋଲିସ ଫୋର୍ସ ପଠାଯାଇଛି। କେଉଁ ସ୍ଥାନରେ ସେମାନଙ୍କୁ ମୁତୟନ କରାଯିବ ଓ କେଉଁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ତାହା ଏସ୍‌ପିମାନେ ସ୍ଥିର କରିବେ। ବନ୍ଦ ପାଳନ ସମୟରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ ପୂରା ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଛି। କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଯେଉଁମାନେ ହିଂସା ଘଟାଇବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ରେଲ୍‌ଓ୍ବେ, ସରକାରୀ ବସ୍‌, ସରକାରୀ ଅଫିସ୍‌ ଆଦିରେ ସୁରକ୍ଷା ବ୍ୟବସ୍ଥା ହୋଇଛି। ସରକାରୀ ଅଫିସ ଆଗରେ ପୋଲିସ ମୁତୟନ ରହିବେ। ଆମେ ଆଶା କରୁଛୁ ଆନ୍ଦୋଳନ ଶାନ୍ତିପୂର୍ଣ୍ଣଭାବେ ଶେଷ ହେବ ବୋଲି ଏଡିଜି ପ୍ରିୟଦର୍ଶୀ କହିଛନ୍ତି।
ଅନ୍ୟପକ୍ଷରେ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ୍‌ଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ଓ ଟ୍ରେଡ୍‌ ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିବ। କୌଣସି ପ୍ରକାର ହିଂସା ନ ଘଟାଇବା ପାଇଁ ସମସ୍ତ କର୍ମୀଙ୍କୁ କୁହାଯାଇଛି। ଏଥିରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Share