ବନ୍ଦ ହୃତ୍‌ପିଣ୍ଡ ପୁଣି ଚାଲି ପାରିବ

ବ୍ରହ୍ମପୁର ଅଫିସ୍‌,୧୬।୧୦: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ନିଶ୍ଚେତକ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ତରଫରୁ ବୁଧବାର ସକାଳେ ବିଶ୍ୱ ନିଶ୍ଚେତନ ଦିବସ ଆୟୋଜିତ ହୋଇଯାଇଛି । ବହିର୍ବିଭାଗ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହୃତ୍‌ପିଣ୍ଡ ପୁନାରମ୍ଭ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଚଳିତ ବର୍ଷର ବିଷୟ ରହିଛି ‘ହୃଦୟ ପୁନଃ ସଂଚାଳନ’ । ଜଣେ ବ୍ୟକ୍ତିଙ୍କ ହୃତ୍‌ପିଣ୍ଡ ବନ୍ଦ ହୋଇଯାଇଥଥିଲେ ଜଣେ ସାଧାରଣ ଲୋକ କିଭଳି ଉକ୍ତ ହୃତ୍‌ପିଣ୍ଡକୁ ପୁନଃ କାର୍ଯ୍ୟକ୍ଷମ କରିପାରିବେ, ସେ ସମ୍ପର୍କରେ ଉପସ୍ଥିତ ନିଶ୍ଚେତକମାନେ ବୁଝାଇଥିଲେ । ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି ନିଶ୍ଚେତକ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗର ମୁଖ୍ୟ ପ୍ରଫେସର ଡା. ଦେବପ୍ରସାଦ ମହାନ୍ତି କହିଛନ୍ତି । ଏହି କାର୍ଯ୍ୟମରେ ଡିନ୍‌ ତଥା ଅଧ୍ୟକ୍ଷ ଡା. ରାଧାମାଧବ ତ୍ରିପାଠୀ, ଅଧୀକ୍ଷକ ଡା. ଚରଣ ପଣ୍ଡା, ପ୍ରଫେସର ଡା. ଲକ୍ଷ୍ମୀଧର ଦାସ, ଅବସରପ୍ରାପ୍ତ ଡା. ହରିହର ପଟ୍ଟନାୟକ, ଆସିଷ୍ଟାଣ୍ଟ ପ୍ରଫେସର ଡା. ଅରୁଣ କୁମାରଙ୍କ ସମେତ ବହୁ ଡାକ୍ତର ଏବଂ ଡାକ୍ତରୀ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।