ବନ୍ଦ ହେବ ପାକିସ୍ତାନୀଙ୍କ ପ୍ରିୟ ସିନେମା ହଲ

ମୁମ୍ବାଇ: ପଞ୍ଜାବର ବହୁ ପୁରାତନ ତଥା ପାକିସ୍ତାନୀଙ୍କର ପସନ୍ଦର ସିନେମା ହଲ୍‌ ରାଜା ଟକିଜ୍‌ ବନ୍ଦ ହେବାକୁ ଯାଉଛି। କାରଣ ଏବେ ଏହାର ମାଲିକ ଏହାକୁ ବିକ୍ରି କରିବାକୁ ଯାଉଛନ୍ତି। ରାଜା ଟକିଜ୍‌ ନାଁରେ ପରିଚିତ ପ୍ରସିଦ୍ଧ ଧନି ରାମ ଥିଏଟର ସୀମାକୁ ଲାଗିଥିବା ଫିରୋଜ ପୁର ସହରରେ ୧୯୩୦ରେ ନିର୍ମାଣ କରାଯାଇଥିଲା। ବର୍ଷ ବର୍ଷ ଧରି ବହୁ ଘାତ ପ୍ରତିଘାତକୁ ସାମ୍ନା କରିଥିବା ଏହି ଟକିଜ୍‌ ଶେଷରେ ଟ୍ୟାକ୍ସ ଓ ମଲ୍ଟିପ୍ଲେକ୍ସ ଯୁଗରେ ହଜି ଯିବାକୁ ବସିଛି। ମାଲିକଙ୍କ କହିବା କଥା ହେଲା ଦିନକୁ ଦିନ ଏଠାରେ ଦର୍ଶକଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ଏହାକୁ ବିକ୍ରି କରିବା କଥା ମାଲିକ ଚିନ୍ତା କରିଛନ୍ତି। ଜଣେ ବରିଷ୍ଠ ନାଗରିକଙ୍କ କହିବା କଥା ହେଲା ଅତିତରେ ନର୍ଗିସ, ଶମ୍ମି କପୁର, ଦିଲୀପ କୁମାର, ଦେବ ଆନନ୍ଦ, ରାଜ କପୁରଙ୍କ ଭଳି କଳାକାରଙ୍କ ଫିଲ୍ମ ଆସିଲେ ପାକିସ୍ତାନୀ ଲୋକ ଛୁଟି ସମୟରେ ଏମାନଙ୍କ ଫିଲ୍ମ ଦେଖିବାକୁ ରାଜା ଟକିଜ୍‌ ଆସିଥାଆନ୍ତି। ତେବେ ପାକିସ୍ତାନ ସହ ହୁସୈନିବାଲ ଚେକ୍‌ ପୋଷ୍ଟ ମାଧ୍ୟମରେ ବ୍ୟବସାୟ ହେଉଥିଲା। ହେଲେ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଏହି ବ୍ୟବସାୟ ମଧ୍ୟ ବନ୍ଦ ହୋଇଗଲା। ହେଲେ ସେହି ସମୟରେ ପାକିସ୍ତାନର ବ୍ୟବସାୟୀ ଏଠାକୁ ଆସି ରାଜା ଟକିଜରେ ଫିଲ୍ମ ଦେଖୁଥିଲେ। ସେତେବେଳେ ଭଲ ବ୍ୟବସାୟ ମଧ୍ୟ ହେଉଥିଲା। ଯାହା ଆଜି ସ୍ମୃତି ହୋଇ ରହିଛି।

Share