ବନ୍ଦ ହେଲା ଭିନ୍ନକ୍ଷମ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନା (କୋଭିଡ-୧୯) ଭୂତାଣୁ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏଥିସହ ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟକରୁଥିବା ବିଭିନ୍ନ ଥେରାପି ସେଣ୍ଟରର ଛାତ୍ରାବାସ ଓ ଛାତ୍ରୀ ନିବାସଗୁଡିକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଚଳିତ ମାସ ୨୫ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ହଷ୍ଟେଲଗୁଡ଼ିକୁ ବନ୍ଦ କରାଯାଇଛି। ଏହାର ଅନ୍ତେବାସୀମାନଙ୍କୁ ଆସନ୍ତା ୩ ମାସ ପାଇଁ ଅଗ୍ରିମ ଖାଦ୍ୟପେୟ ଏବଂ ଯାତାୟାତ ଖର୍ଚ୍ଚ ପ୍ରଦାନ କରାଯିବ ବୋଲି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।
ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ଓ ଥେରାପି ସେଣ୍ଟରଗୁଡିକର ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କୁ ଖାଦ୍ୟପେୟ ବାବଦରେ ମାସିକ ୧୨୦୦ଟଙ୍କା ପ୍ରଦାନ କରାଯାଇଥାଏ। ଆସନ୍ତା ୩ ମାସ ପର୍ଯ୍ୟନ୍ତ ସେମାନଙ୍କୁ ଆଗୁଆ ଅର୍ଥରାଶି ଦିଆଯିବ। ବିଭାଗ ପକ୍ଷରୁ ସାହାଯ୍ୟପ୍ରାପ୍ତ ୯୮ଟି ସ୍ବତନ୍ତ୍ର ଆବାସିକ ଶିକ୍ଷାନୁଷ୍ଠାନ ଓ ୩୨ଟି ଥେରାପି ସେଣ୍ଟରର ଅନ୍ତେବାସୀମାନଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ। ଆସନ୍ତା ୩ ମାସର ଖାଦ୍ୟପେୟ ଖର୍ଚ୍ଚ ଅନ୍ତେବାସୀଙ୍କ ମାତାପିତା କିମ୍ବା ଅଭିଭାବକମାନଙ୍କୁ ମିଳିବ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ସେମାନଙ୍କ ଆଧାର ତଥା ବ୍ୟାଙ୍କ ଖାତା ସମ୍ପର୍କିତ ସମସ୍ତ ତଥ୍ୟ ବିଭାଗରେ ଦାଖଲ କରାଯିବ। ଛାତ୍ରୀଛାତ୍ରଙ୍କୁ ତାଙ୍କ ଘରେ ପହଞ୍ଚାଇବା ପାଇଁ ଜଣେ ସହଯୋଗୀ ସହାୟତା ଦେବେ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ଓ ତାଙ୍କ ସହଯୋଗୀଙ୍କ ଯାତାୟାତ ଖର୍ଚ୍ଚ ବାବଦରେ ୫୦୦ ଟଙ୍କା ପ୍ରଦାନ କରାଯିବ।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ବିଭାଗ ପକ୍ଷରୁ ବିଭିନ୍ନ ପେନସନ ପାଉଥିବା ହିତାଧିକାରୀମାନଙ୍କୁ ୪ ମାସର ପେନସନ ଆଗୁଆ ପ୍ରଦାନ କରାଯିବ। ମଧୁବାବୁ ପେନସନ ଯୋଜନା ସହିତ ସାମାଜିକ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ସିଧାସଳଖ ସେମାନଙ୍କ ଗ୍ରାମରେ ଭତ୍ତା ଟଙ୍କା ଦିଆଯିବ। ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା ଏ ନେଇ ଜିଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ଜିଲାପାଳଙ୍କ ତତ୍ତ୍ୱାବଧାନରେ ହିତାଧିକାରୀମାନଙ୍କୁ ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଆଗୁଆ ଭତ୍ତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି।

Share