ବନ୍ଦ ହେଲା ରାଜ୍ୟର ସମସ୍ତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଏବଂ ପୋଲିସ ପକ୍ଷରୁ ବିିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଥିଲା କିନ୍ତୁ ରାଜ୍ୟରେ ଥିବା ପୋଲିସ ପ୍ରଶିକ୍ଷଣ ଶିବିରଗୁଡ଼ିକ ଖୋଲା ରହିଥିଲା। ପ୍ରଶିକ୍ଷଣ ଶିବିରଗୁଡିକରେ ଏକା ସାଙ୍ଗରେ ୩୦୦ରୁ ୫୦୦ ଅନ୍ତେବାସୀ ରହୁଥିବାରୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ଶୁକ୍ରବାର ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀ ସମେତ ରାଜ୍ୟରେ ଥିବା ଅନ୍ୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀରେ ଏବେ ଏସ୍‌ଆଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୩୦୦ ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି। ସେମାନଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସେମାନେ ଘର ପାଖ ଥାନାରେ କାର୍ଯ୍ୟ କରିବାକୁ କୁହାଯାଇଛି। ପୋଲିସ ପୋଷାକରେ ରହି କାର୍ଯ୍ୟ କରିବାକୁ କୁହାଯାଇଥିଲେ ମଧ୍ୟ ଷ୍ଟାର୍‌ ନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣେ ଅନ୍ତେବାସୀ ସୂଚନା ଦେଇଛନ୍ତି।
ଷ୍ଟେଟ୍‌ ପୋଲିସ ଏକାଡେମୀରେ ଏକା ସାଙ୍ଗରେ ୩୦୦ ଅଫିସରଙ୍କୁ ଟ୍ରେନିଂ ଦିଆଯାଉଥିବା ବେଳେ ଅନୁଗୋଳରେ ୫୦୦, ନୟାଗଡ଼ରେ ୩୦୦ ଏବଂ ଝାରସୁଗୁଡ଼ା ଟ୍ରେନିଂ ସେଣ୍ଟରରେ ୫୦୦ କର୍ମଚାରୀ ପ୍ରଶିକ୍ଷଣ ନେଉଥିଲେ। ଏହାଛଡା ପ୍ରତି ପୋଲିସ ଜିଲାରେ ୨ରୁ ୪ ଟି ବାରାକ୍‌ ରହୁଥିବାବେଳେ ପ୍ରତ୍ୟେକ ବାରାକ୍‌ରେ ଅତି କମ୍‌ରେ ୩୦୦ରୁ ଅଧିକ ଅନ୍ତେବାସୀ ରହୁଛନ୍ତି। ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ପାଇଁ ବାରାକ୍‌ ଖୋଲା ରଖାଯାଇଥିବା ବେଳେ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share