ବନ୍ଧରେ ବୁଡ଼ି ଶିଶୁକନ୍ୟା ମୃତ

ହିଞ୍ଜିଳିକାଟୁ,୩୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ବନ୍ଧରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ପଞ୍ଚାୟତ ସାହି ବନ୍ଧ ହୁଡ଼ାରେ ବାସ କରୁଥିବା ଶଙ୍କର ସେଠୀଙ୍କ ୩ ବର୍ଷର ଶିଶୁକନ୍ୟା ଶୁଭଶ୍ରୀ ଘର ସାମ୍ନାରେ ଖେଳୁଥିବାବେଳେ ଦୀର୍ଘ ସମୟ ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିଥିଲେ। ପରେ ବନ୍ଧ ଭିତରୁ ଶୁଭଶ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରି କେସ ନଂ.୨୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି। ବନ୍ଧକୁ ଲାଗି ସାହି ଥିବାବେଳେ ସୁରକ୍ଷାବାଡ଼ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।