ବନ୍ଧୁକ ଦେଖାଇ ଗହଣା ଲୁଟ୍‌ ଘଟଣା: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଠାବ, କାର୍‌ ଜବତ

ରୂପ୍‌ସା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ତାହାରପୁର ଗ୍ରାମର ଗହଣା ଦୋକାନୀ ମୃତ୍ୟୁଞ୍ଜୟ ଗିରିଙ୍କ ଗହଣା ଦୋକାନରୁ ୩୦ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି। ବସ୍ତା ଥାନା ଆଇଆଇସି ଧନେଶ୍ୱର ସାହୁ ଯୋଜନା ପ୍ରସ୍ତୁତ କରି ଏହି ଘଟଣାରେ ସମ୍ପୃକ୍ତ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସମର୍ଥ ହୋଇଛନ୍ତି। ଏନେଇ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଜଳନ୍ଧର ଜାଲି ଓ ଆଇଆଇସି ସାହୁ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି। ଏକ ସ୍ବତନ୍ତ୍ର ଟିମ୍‌ ସହ ଚଢ଼ାଉ କରାଯାଇ ବସ୍ତା ଥାନା ମନୁଡ଼ିହା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ଦାସ, ଗଞ୍ଜାମ ଜିଲା ଆସ୍କା ଅଞ୍ଚଳର ତିରୁମାଲା ପାତ୍ର ଓ ଜି. ବଲରାଜୁ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨ଟି ମୋବାଇଲ୍‌, ଏକ ଦାମୀ କାର୍‌ (ନଂ. ଓଡ଼ି୦୨ବିଜି-୧୩୭୫) ଜବତ କରାଯାଇଛି। ଚୋରି ବାଇକ୍‌ (ନଂ. ଓଡ଼ି୦୧ଡି-୮୦୩୧) ସହ ୪୦୦ ଗ୍ରାମ୍‌ ଓଜନର ସ୍ବର୍ଣ୍ଣ ଅଳଙ୍କାର ଉଦ୍ଧାର ହୋଇଛି। ଲୁଟ୍‌ ଘଟଣାର ଅନ୍ୟ ୨ ଅଭିଯୁକ୍ତ ଗଞ୍ଜାମ ଜିଲା କବି ସୂର୍ଯ୍ୟନଗରର କୁନାଲ ବାରିକ ଓ କଲ୍ୟାଣୀ ଥାନା ଖନ୍ତାପଡ଼ାର କୁମାର ରଞ୍ଜନ ମହାଳିକଙ୍କୁ ବୈଶିଙ୍ଗା ଥାନା ପୋଲିସ ବୈଶିଙ୍ଗାର ଏକ ଗହଣା ଦୋକାନରୁ ଲୁଟ୍‌ ମାମଲାରେ ଗିରଫ କରିଥିଲେ ବୋଲି ଏସ୍‌ଡ଼ିପିଓ ଜାଲି ସୂଚନା ଦେଇଛନ୍ତି। ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା କୁହାଯାଉଛି।