ବନ୍ଧୁକ ଦେଖାଇ ମହିଳା ଏଜେଣ୍ଟଙ୍କଠାରୁ ଲୁଟ୍‌

ଆସିକା,୨ା୮(ଡି.ଏନ୍‌.ଏ.)- ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଭେଟନଈ ପଲ୍ଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ ମହିଳା ଏଜେଣ୍ଟଙ୍କଠାରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଆସିକାସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସର ଏଜେଣ୍ଟ ତଥା ଖୋର୍ଦ୍ଧା ଜିଲା ନାଚୁଣୀ ଅଞ୍ଚଳର ରୋଜି ବାରିକଙ୍କଠାରୁ ୧ଲକ୍ଷ ୪୮ ହଜାର ଟଙ୍କା ଲୁଟି ନେଇଛନ୍ତି। ରୋଜି ଭେଟନଈ ଅଞ୍ଚଳର ଜମାକାରୀଙ୍କଠାରୁ ଟଙ୍କା ସଂଗ୍ରହ କରି ସ୍କୁଟିରେ ଆସିକା ଫେରୁଥିଲେ। ୩ ଜଣ ଲୁଟେରା ପଲ୍ଲୀମାଳ ନିକଟରେ ରୋଜିଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଲୁଟି ଚମ୍ପଟ ମାରିଥିଲେ। ଏ ନେଇ ରୋଜି ଆସିକା ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ତେବେ ଲୁଟେରାଙ୍କ ସମ୍ପର୍କରେ ପୋଲିସକୁ କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ଜୁଲାଇ ୬ରେ ଆସିକା ଥାନା ଅନ୍ତର୍ଗତ ଦେବଭୂମୀ-ରିଷିପୁର ରାସ୍ତାରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ ଏଜେଣ୍ଟ ଅଜିତ କୁମାର ସାହୁଙ୍କ ଠାରୁ ୨ଲକ୍ଷ ୪୭ହଜାର ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସୁରାକ ପାଇନି।