ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ

ଆଳି, ୨୩।୪: (ଡି.ଏନ୍‌.ଏ.) ଶନିବାର ସକାଳେ ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣାରେ ୩ ଜଣ ଡକାୟତ ଆତଙ୍କ ସୃଷ୍ଟି କରିଥିଲେ। ସେମାନେ ହାତରେ ବନ୍ଧୁକ ଧରି ସୁନାଦୋକାନ ଲୁଟ ଉଦ୍ୟମ କରିଥିବା ବେଳେ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଡକାୟତମାନଙ୍କ ଯୋଜନା ପଣ୍ଡ ହୋଇଛି। ଡକାୟତମାନେ ଲୁଟ କରିବାରେ ବିଫଳ ହେବାରୁ ସେଠାରେ ପ୍ରାୟ ୩ ରାଉଣ୍ଡ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ । ଘଟଣା ସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଛକରେ ସେହି ଗ୍ରାମର ରବିନ୍ଦ୍ର ସାହୁଙ୍କ ଶାରଳା ଜୁଏଲର୍ସ ରହିଛି । ସବୁଦିନ ପରି ଶନିବାର ସକାଳେ ରବିନ୍ଦ୍ରଙ୍କ ପୁଅ ଜିତେନ୍ଦ୍ର ଦୋକାନ ଖୋଲିଥିଲେ। ଏହି ସମୟରେ ଏକ ବାଇକ୍‌ରେ ଆସି ୩ ଜଣ ଯୁବକ ଦୋକାନ ଭିତରକୁ ପଶିଥିଲେ। ଜିତେନ୍ଦ୍ର ସେମାନଙ୍କୁ କିଛି କହିବା ଆଗରୁ ସେମାନେ ଜିତେନ୍ଦ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ଉଦ୍ୟମ କରିଥିଲେ। ଜିତେନ୍ଦ୍ର ସେମାନଙ୍କ ସହିତ ଧସ୍ତାଧସ୍ତି କରିବା ବେଳେ ତଳେ ପଡି ଯାଇଥିଲେ । ଏହି ସମୟରେ ଜିତେନ୍ଦ୍ର ଦୋକାନରେ ବ୍ୟବହୃତ ଏସିଡ ବୋତଲ ହାତରେ ଧରି ସେମାନଙ୍କୁ ଫୋପାଡ଼ିବାକୁ ଧମକ ଦେବା ସହିତ ଚିତ୍କାର କରିଥିଲେ । ଜିତେନ୍ଦ୍ରଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ଜମା ହୋଇଯିବାରୁ ଡକାୟତମାନେ ସେମାନଙ୍କୁ ବନ୍ଧୁକ ଦେଖାଇବା ସହିତ ୩ ରାଉଣ୍ଡ ଗୁଳିଚାଳନା କରିଥିଲେ । କିଛି ସମୟ ଧରି ଡକାୟତଙ୍କ ସହିତ ଦୋକାନୀ ଓ ଗ୍ରାମବାସୀଙ୍କ ମୁହଁାମୁହିଁ ହୋଇଥିଲା। ଏହାପରେ ଡକାୟତମାନେ ରିଂବନ୍ଧ ଦେଇ ସହିରା ଆଡ଼କୁ ପଳାଇ ଯାଇଥିଲେ । ଏପରିକି ସେମାନେ ବାଇକ୍‌ରେ ବସି ଯିବା ସମୟରେ ହାତରେ ବନ୍ଧୁକ ଧରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। ଖବର ପାଇ ଆଳି ଥାନା ଆଇଆଇସି ଦିଲ୍ଲୀପ ସାହୁ, ରାଜକନିକା ଆଇଆଇସି ବିଲ୍ବମଙ୍ଗଳ ସେଠୀ, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସାରାଣୀ ବେହେରା ପ୍ରମୁଖ ପହଞ୍ଚି ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି ା ଖୁବ୍‌ଶୀଘ୍ର ଡକାୟତମାନେ ଧରାପଡିବେ ବୋଲି ପୋଲିସ କହିଛି।