ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କାର ସୁନା, ରୂପା ଗହଣା ଲୁଟ୍‌

ରୂପ୍‌ସା,୧୭।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ତାହାରପୁର ଗ୍ରାମର ଗହଣା ଦୋକାନୀ ମୃତ୍ୟୁଞ୍ଜୟ ଗିରିଙ୍କ ଦୋକାନରୁ ଦୁର୍ବୃତ୍ତମାନେ ବୁଧବାର ରାତିରେ ଫିଲ୍ମ ଷ୍ଟାଇଲ୍‌ରେ ୧୦ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ ଗୁରୁବାର ବସ୍ତା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ. ୩୧୪/୯) ରୁଜୁ କରି ତଦନ୍ତ ଚଳାଇଛି। ଏସ୍‌ଡ଼ିପିଓ ରଣଜିତ୍‌ ପୃଷ୍ଟି, ଆଇଆଇସି ଧନେଶ୍ୱର ସାହୁ, ଏସ୍‌ଆଇ ରାଜଲକ୍ଷ୍ମୀ ନାୟକ ପ୍ରମୁଖ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ବସ୍ତା ଥାନା ନଳବାହାର ଛକରେ ମୃତ୍ୟୁଞ୍ଜୟଙ୍କ ଗହଣା ଦୋକାନ ରହିଛି। ସୁବଦିନ ପରି ସେ ରାତି ୮ଟାରେ ଦୋକାନ ବନ୍ଦ କରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ପୂର୍ବ ଯୋଜନା ମୁତାବକ ଏକ ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ୬୦ନଂ. ଜାତୀୟ ରାଜପଥର ଧାରୀ ପୋଲଠାରେ ମୃତ୍ୟୁଞ୍ଜୟଙ୍କୁ କାବୁ କରି ବାନ୍ଧି ଦେଇଥିଲେ। ରାଜପଥ ପାର୍ଶ୍ୱକୁ ନେଇ ଏକ ପଡ଼ିଆରେ ୩ ଘଣ୍ଟା ଧରି ଦୁର୍ବୃତ୍ତମାନେ ତାଙ୍କୁ ନିଜ ଅକ୍ତିଆରରେ ରଖିଥିଲେ। ଦୋକାନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ରାତି ସାଢ଼େ ୧୧ଟା ବେଳେ ନଳବାହାରସ୍ଥିତ ଦୋକାନକୁ ନେଇ ଦୋକାନ ଓ ଲକର ଚାବି ଖୋଲିବାକୁ କହିଥିଲେ। ଜୀବନ ବିକଳରେ ଆହତ ମୃତ୍ୟୁଞ୍ଜୟ ଦୋକାନ ଓ ଲକରର ଚାବି ଖୋଲି ଦେବା ପରେ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ସମସ୍ତ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ। ଏପରିକି ମୃତ୍ୟୁଞ୍ଜୟଙ୍କ ବାଇକ୍‌ ନେଇ ସୁନାଗହଣା ସହ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଏହାପରେ ସ୍ଥାନୀୟ ଲୋକେ ମୃତ୍ୟୁଞ୍ଜୟଙ୍କୁ ସେଠାରୁ ମୁକଳାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଦୁର୍ବୃତ୍ତମାନେ ହିନ୍ଦୀ ଭାଷାରେ କଥା ହେଉଥିବା ଅଭିଯୋଗକାରୀ ପୋଲିସ ଆଗରେ କହିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ଜାଲ ବିଛାଯାଇଛି।