ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା କେନ୍ଦ୍ରରୁ ୩ ଜଣ ଦୁର୍ବୃତ୍ତ ବନ୍ଧୁନ ମୁନରେ ୩୬ ହଜାର ଟଙ୍କା, ୩ ଟି ମୋବାଇଲ ଓ ଗୋଟିଏ ଆପାଚି ବାଇକ୍‌କୁ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ଏନେଇ ଖବର ପାଇବା ପରେ କୁଚିଣ୍ଡା ଥାନା ପକ୍ଷରୁ ତଦନ୍ତ ଜାରି ରହିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରେଙ୍ଗାଲବେଡ଼ା ଗଁାର ସିମାଶୁ ନାୟକ ତାଙ୍କ ସହଯୋଗ କେନ୍ଦ୍ରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା ସମୟରେ ତାଙ୍କ ସହ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେବତୀ ମୋହନ ବାରିକଙ୍କ ନିର୍ଦ୍ଦେଶ କ୍ରମେ କିରାଣି ରମଣୀରଞ୍ଜନ ପଧାନ ଓ ଡାଟା ଏଣ୍ଟ୍ରି ଅପରେଟର ଲିପ୍ଟନ ନାୟକ ମିଶି ସ୍କୁଲର ଏସ୍‌ଡିଏମ୍‌ଏସ୍‌ ରିପୋର୍ଟ ତାଲିକା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ ରୁମାଲ ବାନ୍ଧି ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ସେମାନଙ୍କୁ ଧମକ ଦେଇ ପାଖରେ ଯାହା ରଖିଛ ତାହା ଦେଇଦିଅ ବୋଲି କହିଥିଲେ। ଭୟରେ ତିନିଜଣ ପାଖରେ ଥିବା ୩୬ ହଜାର ଟଙ୍କା, ମୋବାଇଲ ଦେଇଦେଇଥିଲେ। ତେବେ ସିମାଂଶୁ ତାଙ୍କ ଫୋନ୍‌ରେ ଦରକାରୀ ଡାଟା ଥିବା କହିବାରୁ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲଟି ଦେଇଦେଇଥିଲେ। ପରେ ଏକ ଫୋନ୍‌ କଲ୍‌ ଆସିବାରୁ ସେମାନେ ସିମାଂଶୁଙ୍କୁ ଗାଳିଗୁଲଜ କରିବା ସହ ଫୋନ୍‌କୁ ଭିଙ୍ଗି ଦେଇଥିଲେ। ଶେଷରେ ସେମାନେ ଲିପ୍ଟନଙ୍କ ଆପାଚୀ ବାଇକ୍‌(ଓଡି ୨୮ ୩୭୯୧) ଗାଡ଼ିକୁ ନେଇ ପେରାର ହୋଇଯାଇଥିଲେ। ଶୁକ୍ରବାର ସକାଳେ ଏନେଇ ସେମାନେ ଥାନାକୁ ଖବର ଦେବା ପରେ ପୋଲିସ ପକ୍ଷରୁ ଘଟଣାସ୍ଥଳକୁ ଆସି ତଦନ୍ତ ଜାରି ରଖିଥିବା କୁହାଯାଉଛି। ସମ୍ପୃକ୍ତ ଦୁର୍ବୁତ୍ତମାନେ ହିନ୍ଦି ଏବଂ ଓଡ଼ିଆ ମିଶାମିଶି ଭାଷାରେ କଥା ହେଉଥିବା ନେଇ ସିମାଂଶୁ ପ୍ରକାଶ କରିଛନ୍ତି।

Share