ବନ୍ଧୁକ ଲଗାଇ ୪. ୭୦ ଲକ୍ଷ ଟଙ୍କା ଲୁଟ୍‌

ଗୋପ,୨୩ା୧(ଡିଏନ୍‌ଏ): ଗୋପ-ଚାରିଛକ ରାସ୍ତାର ଚମ୍ପାଳ କାଦୁଆ ନଦୀ ପୋଲ ପାଖରେ ବୁଧବାର ରାତି ପ୍ରାୟ ୯ଟାବେଳେ ଏକ ଟ୍ରକ୍‌ରୁ ୫ଜଣ ଦୁର୍ବୃତ୍ତ ୪ଲକ୍ଷ ୭୦ହଜାର ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କୋଣାର୍କର ବଡ଼ ବ୍ୟବସାୟୀ କୈଳାସ ସାହୁଙ୍କ ଏକ ଟ୍ରକ (ଓଆର୍‌୦୨ବିଡ଼ି୧୨୬୮)ରେ ୬ଜଣ ଦୋକାନ କର୍ମଚାରୀ ମାଲିକଙ୍କ ବ୍ୟବସାୟରେ ସାମଗ୍ରୀ ଦେବା ଓ ଟଙ୍କା ଆଦାୟ ପାଇଁ କଟକର ନିଆଳି ଅଞ୍ଚଳକୁ ଯାଇଥିଲେ। ଟଙ୍କା ଆଦାୟ କରି ସେଠାରୁ ସନ୍ଧ୍ୟା ସମୟରେ କୋଣାର୍କ ଫେରୁଥିଲେ। କିନ୍ତୁ ଗୋପ-ଚାରିଛକ ରାସ୍ତାର ତମ୍ପାଳ ଛକ ନିକଟରେ ହଠାତ୍‌ ୩ଟି ବାଇକ୍‌ରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଟ୍ରକ୍‌କୁ ଅଟକାଇଥିଲେ। ବନ୍ଧୁକ, କଟୁରି କର୍ମଚାରୀଙ୍କ ମୁଣ୍ଡରେ ଲଗାଇ ଟଙ୍କା ବ୍ୟାଗ୍‌ ମାଗିଥିଲେ। ଭୟରେ ଟ୍ରକ ଆଗରେ ବସିଥିବା କର୍ମଚାରୀ ଜଣଙ୍କ ଗୋଟିଏ ଟଙ୍କା ବ୍ୟାଗ ବଢ଼ାଇ ଦେଇଥିଲେ। କିନ୍ତୁ ଦୁବୃର୍ତ୍ତମାନେ ଆଉ ଗୋଟିଏ ଟଙ୍କା ବ୍ୟାଗ ମାଗିଥିଲେ। କର୍ମଚାରୀ ଟଙ୍କା ନ ଦେବାରୁ ଜଣେ ଦୁବୃର୍ତ୍ତ କଟୁରିରେ କାହ୍ନୁଚରଣ ପାଢ଼ୀ ନାମକ ଜଣେ କର୍ମଚାରୀଙ୍କୁ ହାଣିଦେଇଥିଲେ। ପରେ ଦୁର୍ବୃତ୍ତମାନେ ୨ଟି ଟଙ୍କା ବ୍ୟାଗ ନେଇ ଖସିଯାଇଥିଲେ। ଏହି ଘଟଣା ବିଷୟରେ ମାଲିକ ଏବଂ ପୋଲିସକୁ ଜଣାଇବା ପରେ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ କର୍ମଚାରୀମାନଙ୍କ କଥାରେ ତାଳ ମେଳ ରହୁ ନ ଥିବାବେଳେ ଦୁର୍ବୃତ୍ତମାନେ କିଭଳି ଗାଡ଼ିରେ ଦୁଇଟି ବ୍ୟାଗ ଥିବା ଜାଣିଲେ ସେନେଇ ପୋଲିସ ସମସ୍ତ କର୍ମଚାରୀମାନଙ୍କୁ ପଚରାଉଚୁରା କରୁଛି। ରିପୋର୍ଟ ଲେଖା ହେବା ସମୟରେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।

Share