ବନ୍ଧୁକ ସହ ଖେଳ: ଫୁଟିଲା ଗୁଳି, ୫ ଗିରଫ

କଟକ ଅଫିସ,୨୮।୨: ଜଣେ କର୍ତ୍ତବ୍ୟରତ ପୋଲିସ କନଷ୍ଟେବଳ ଗତ ମଙ୍ଗଳବାର ଅପରାହ୍ନରେ ନିଜ ସର୍ଭିସ ପିସ୍ତଲର ବ୍ୟବହାର ସମ୍ପର୍କରେ ସାଙ୍ଗମାନଙ୍କୁ ବୁଝାଉଥିବାବେଳେ ହଠାତ୍‌ ଗୁଳି ଫୁଟିଥିଲା। ଏଥିରେ ସୂତାହାଟ ତନ୍ତିସାହିର କେ. ସୁନୀଲ ନାମକ ଯୁବକ ଆହତ ହୋଇଥିଲେ। ତେବେ ଘଟଣାକୁ ୨ ଦିନ ବିତିଥିବାବେଳେ ଅଭିଯୁକ୍ତମାନେ ଏହାକୁ ଚାପିବାକୁ ଉଦ୍ୟମ କରିଥିଲେ। ହେଲେ ମାଲଗୋଦାମ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ୫ ଜଣଙ୍କୁ ଗୁରୁବାର ସନ୍ଧ୍ୟାରେ ଗିରଫ କରିଛି। ସେମାନେ ହେଲେ କେନ୍ଦୁଝର ଜିଲା ପୋଲିସରେ କାର୍ଯ୍ୟରତ କନଷ୍ଟେବଳ ଟିକେଶ୍ୱର ମହନ୍ତ, ହୋଟେଲ ମାଲିକ ରାଜକିଶୋର ମହାନ୍ତି, ମ୍ୟାନେଜର ଗଗନ ଜେନା ଓ ଅନ୍ୟ ୨ ଅଭିଯୁକ୍ତ।
ପୋଲିସ ସୂତ୍ରରୁ ପ୍ରକାଶ, ଟିକେଶ୍ୱର ଓ ତାଙ୍କର ଅନ୍ୟ ୩ ଜଣ ସାଙ୍ଗ ମେଡିକାଲ କାର୍ଯ୍ୟରେ ଗତ ୨୫ ତାରିଖରେ କଟକ ଆସିଥିଲେ। ଚିକିତ୍ସା କାମ ଶେଷ ନ ହେବାରୁ ସେମାନେ କଲେଜଛକ ନିକଟସ୍ଥ ଏକ ହୋଟେଲରେ ରହିଥିଲେ। ଏହି ଦିନ ଅପରାହ୍ନରେ ସୁନୀଲ ଉକ୍ତ ହୋଟେଲର ମାଲିକ ରାଜକିଶୋର ମହାନ୍ତିଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ଟିକେଶ୍ୱର ସାଙ୍ଗମାନଙ୍କୁ ନିଜ ସର୍ଭିସ ପିସ୍ତଲକୁ ଦେଖାଇବା ସହ ଏହାର ବ୍ୟବହାର ବିଷୟରେ ଶିଖାଉଥିଲେ। ହଠାତ୍‌ ପିସ୍ତଲରୁ ଗୁଳି ଫୁଟି ସୁନୀଲଙ୍କ ପେଟରେ ବାଜିଥିଲା। ହୋଟେଲ ମାଲିକ ରାଜକିଶୋର ଓ ମ୍ୟାନେଜର ଗଗନ ସେଠାରେ ପହଞ୍ଚି ଘଟଣାଟିକୁ ଚାପି ଦେବାକୁ ଉଦ୍ୟମ କରିଥିଲେ। ଏପରି କି ଆହତ ସୁନୀଲଙ୍କୁ ମେଡିକାଲ ନେବା ପାଇଁ ବନ୍ଦୋବସ୍ତ କରି ନ ଥିଲେ। ଫଳରେ ସୁନୀଲ ନିଜ ଭିଣୋଇ କେ. ଶଙ୍କରଙ୍କୁ ଫୋନ କରିଥିଲେ। ଶଙ୍କର ହୋଟେଲରେ ପହଞ୍ଚି ସୁନୀଲଙ୍କୁ ଚିକିତ୍ସାଲାଗି ଏସ୍‌ସିବି ମେଡିକାଲକୁ ନେଇଥିଲେ। ଶଙ୍କର ଏ ନେଇ ମାଲଗୋଦାମ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସର ଏକ ଟିମ୍‌ କେନ୍ଦୁଝର ଯାଇ ଟିକେଶ୍ୱରକୁ ଗିରଫ କରିଥିଲା। ଏହାପରେ ରାଜକିଶୋର, ଗଗନ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Share