ବନ୍ଧୁତା ପାଇଁ ଜର୍ମାନୀରୁ ଗୋପ

ଗୋପ, ୧୭-୯(ଡି.ଏନ୍‌.ଏ.):ଗ୍ଲୋବାଲ ଓ୍ବାର୍ମିଂ ଆଜି ବିଶ୍ୱବାସୀଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଥିରୁ ମୁକ୍ତି ପାଇବାର ଗୋଟିଏ ମାଧ୍ୟମ ବୃକ୍ଷରୋପଣ। ଏହା ସହ ଜର୍ମାନୀ ଓ ଭାରତ ମଧ୍ୟରେ ବନ୍ଧୁତା ସ୍ଥାପନ କରିବାକୁ ହେଲେ ଏହି ବୃକ୍ଷ ଦ୍ୱାରା ସବୁ କିଛି ସମ୍ଭବ ହୋଇପାରିବ ବୋଲି କହିଛନ୍ତି, ସୁଦ ସୁଦୂର ଜର୍ମାନୀରୁ ଓଡ଼ିଶା ଆସିଥିବା ସ୍ବେଚ୍ଛାସେବୀ ସଂଗଠନ ‘ଆଶ୍ରୟ’ର ଅଧ୍ୟକ୍ଷ ଜୋହନା ରୋଡେ। ପୁରୀ ଜିଲା ଗୋପ ବ୍ଲକ ଅଧୀନ ବେଦପୁର ପଞ୍ଚାୟତ ସ୍ଥିତ ମା’ ଭୁଆସୁଣୀ ଉଚ୍ଚ ବିଦ୍ୟାଳୟ ହନ୍ତସୁରାଠାରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହା କହିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁଦତ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ‘ଆଶ୍ରୟ’ର ତନୁଜା ମହାନ୍ତି, ନମିତା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପୀନାଥ ମୁଦୁଲି, ବରିଷ୍ଠ ଶିକ୍ଷାବିତ୍‌ ରବୀନ୍ଦ୍ର ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ପରିବେଶକୁ ସରସ ସୁନ୍ଦର କରିବା ଲାଗି ବୃକ୍ଷରୋପଣ ପ୍ରୟୋଜନ ବୋଲି ଅତିଥିମାନେ କହିବା ସହ ପ୍ରତି ଛାତ୍ରୀଛାତ୍ରଙ୍କୁ ନିଜ ବାଡ଼ିରେ ୨ଟି ଲେଖାଏଁ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରୋଡ଼େ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ଲଗାଇ ଛାତ୍ରୀଛାତ୍ରମାନଙ୍କୁ ଏହାର ଯତ୍ନ ନେଇ ଦେଶକୁ ଆହୁରି ଆଗକୁ ନେବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭ୍ୟା/ସଭ୍ୟ, ଗ୍ରାମବାସୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ନବକିଶୋର ବିଶ୍ୱାଳ, ଦାଶରଥି ପରିଡ଼ା, ଜ୍ୟୋତିରଞ୍ଜନ ମିଶ୍ର, ବିରଞ୍ଚତ୍ ପ୍ରସାଦ ମିଶ୍ର, ଶିକ୍ଷୟିତ୍ରୀ ସ୍ବପ୍ନାରାଣୀ ହାଜରା, ପ୍ରିୟମ୍ବଦା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share