ବନ୍ଧୁ ହେବ ତ ଏମିତି

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ),୨୨।୨: ଜୀବନରେ ବନ୍ଧୁର ସ୍ଥାନ ସ୍ବତନ୍ତ୍ର। ବନ୍ଧୁତ୍ୱ ଆଗରେ ଧନସମ୍ପତ୍ତି, ପଦପଦବୀ, ଉଚ୍ଚନୀଚ, ଜାତିଅଜାତିର କିଛି ମୂଲ୍ୟନାହିଁ। ବନ୍ଧୁଙ୍କ ଆଗରେ ସବୁକଥା କହି ହୋଇଥାଏ। ବନ୍ଧୁଙ୍କ ଖୁସିରେ ଖୁସି ହେବା ଏବଂ ଦୁଃଖ ସମୟରେ ସହାୟତାର ହାତ ବଢ଼ାଇବାର ଅନେକ ଉଦାହରଣ ରହିଛି। ସେହିଭଳି ଏକ ଘଟଣା ପୁରୀରେ ଶୁକ୍ରବାର ଦେଖିବାକୁ ମିଳିଛି, ଯେଉଁଥି ପାଇଁ ସ୍ଥାନୀୟ ଲୋକେ କହୁଛନ୍ତି ‘ବନ୍ଧୁ ହେବ ତ ଏମିତି’। ଏହି ପ୍ରଶଂସାର ପାତ୍ର ହୋଇପାରିଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଆଉ କେତେଜଣ ବ୍ୟକ୍ତି। ମାନସିକ ବିକାରଗ୍ରସ୍ତ ହୋଇ ପୁରୀରେ ଅସହାୟ ଅବସ୍ଥାରେ ଥିବା ସାଙ୍ଗ ଶ୍ରୀଜିତ୍‌ ପାଢ଼ୀଙ୍କୁ ସେମାନେ ଉଦ୍ଧାର କରି ଚିକିତ୍ସା କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ଶ୍ରୀଜିତ୍‌ଙ୍କ ଘର ପୁରୀ ବଡ଼ଶଙ୍ଖ ନୂଆସାହିରେ। ସେ ଜଣେ ଉଚ୍ଚଶିକ୍ଷିତ। ପିଲାବେଳୁ ମେଧାବୀ ଥିଲେ। ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ପ୍ରୟାସ କରୁଥିଲେ। ସେଥିରେ ବିଫଳ ହେବାରୁ ମାନସିକ ସ୍ଥିତି ହରାଇଥିଲେ। ଏହାପରେ ସେ ପୁରୀରେ ବୁଲି ବୁଲି ଲୋକଙ୍କୁ ମାଗିଯାଚି ଚଳୁଥିଲେ। ଏ ସମ୍ପର୍କରେ ଶ୍ରୀଜିତ୍‌ଙ୍କ ସାଙ୍ଗମାନେ ତଥା ପୋଲିସ କମିଶନର ଷଡ଼ଙ୍ଗୀ ଏବଂ ଅନ୍ୟମାନେ ଜାଣିବା ପରେ ସହାୟତାର ହାତ ବଢ଼ାଇଛନ୍ତି। ପୋଲିସ କମିଶନର ଷଡ଼ଙ୍ଗୀଙ୍କ ଉଦ୍ୟମରେ ଅନ୍ୟ ସାଙ୍ଗମାନେ ଶୁକ୍ରବାର ପୂର୍ବାହ୍ନରେ ଖୋଜାଖୋଜି କରି ଶ୍ରୀଜିତ୍‌ଙ୍କୁ ବଡ଼ଦାଣ୍ଡରୁ ଉଦ୍ଧାର କରିଥିଲେ। ପ୍ରଥମେ ଶ୍ରୀଜିତ୍‌ ସେମାନଙ୍କ ସହ ଯିବାକୁ ଅମଙ୍ଗ ହେଉଥିଲେ ମଧ୍ୟ ପରେ ରାଜି ହୋଇଥିଲେ। ସାଙ୍ଗମାନେ ତାଙ୍କୁ ପ୍ରଥମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିିକିତ୍ସା କରାଇବା ପରେ କାର ଯୋଗେ କଟକ ବଡ଼ ମେଡିକାଲକୁ ନେଇଥିଲେ। ରେଭେନ୍‌ଶା କଲେଜରେ ଅର୍ଥନୀତିରେ ପିଜି ପଢ଼ିବା ସମୟରେ ଶ୍ରୀଜିତ୍‌ ଓ କମିଶନର ଷଡ଼ଙ୍ଗୀ ବନ୍ଧୁ ପାଲଟିଥିଲେ। ପାଠପଢ଼ା ଶେଷହେବା ପରେ ସାଙ୍ଗମାନେ ଯିଏ ଯାହା ଦୁନିଆରେ ବ୍ୟସ୍ତ ରହିଥିବାବେଳେ ଶ୍ରୀଜିତ୍‌ଙ୍କ ଏଭଳି ଦୟନୀୟ ଅବସ୍ଥା ସମ୍ପର୍କରେ ସେମାନେ ଜାଣିପାରି ନ ଥିଲେ।
ସୂଚନଥାଉ କି, ଶ୍ରୀକ୍ଷେତ୍ରରେ ବହୁ ମାନସିକ ବିକାରଗ୍ରସ୍ତ, ଅସହାୟଙ୍କୁ ଶ୍ରୀମନ୍ଦିର ନିକଟରେ ଦୈନିନ୍ଦିନ ଦେଖିବାକୁ ମିଳେ। ହେଲେ କିଏ କେଉଁ ପରିସ୍ଥିତିରେ ଏଠାକୁ ଆସି ଭିକ୍ଷାବୃତ୍ତିକୁ ଆପଣାଇ ନେଇଯାଉଛନ୍ତି, ତାହା ସାଧାରଣତଃ ଜାଣି ହୋଇ ନ ଥାଏ। ନିକଟରେ ଭୁବନେଶ୍ୱରର ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଯୁବକ ଦୀର୍ଘବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏହାପରେ ପରିବାର ଲୋକଙ୍କ ଉଦ୍ୟମରେ ସେ ଘରକୁ ଫେରିଥିଲେ।

Share