Advertisement

ବନ୍ଧ କରି ଜମିକୁ ପାଣି ନେଲେ ଚାଷୀ

ଖୋର୍ଦ୍ଧା ଅଫିସ,୨୨।୯: ଚଳିତ ବନ୍ୟାରେ ଖୋର୍ଦ୍ଧା ଜିଲାରେ ବ୍ୟାପକ କ୍ଷତି ହୋଇଛି। ବୋଲଗଡ଼ ବ୍ଲକ ଅସରଳା ପଞ୍ଚାୟତର ଅସରଦଳ ଗ୍ରାମ ନିକଟ ମାଳିବନ୍ଧଠାରେ ଜମିକୁ ଜଳସେଚନ ଲାଗି ହୋଇଥିବା ଏକ ଚେକ ଡ୍ୟାମ ବନ୍ୟାଜଳରେ ଧୋଇଯାଇଛି। ଏହାର ମରାମତି ପାଇଁ ପ୍ରଶାସନ ନିକଟରେ ଦାବି ହୋଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଫଳରେ ସୋମବାର ସ୍ଥାନୀୟ ଗ୍ରାମବାସୀ ତଥା ଚାଷୀ ଏକତ୍ରିତ ହୋଇ ଏକ ଅସ୍ଥାୟୀ ବନ୍ଧ ନିର୍ମାଣ କରିବା ସହ ଜମିରେ ପାଣି ମଡ଼ାଇଥିବା ଦେଖିବାକୁ ମିଳିଛି।
ମୁତାବକ, ଚାଷଜମିକୁ ଜଳସେଚନ ଲାଗି ୨ବର୍ଷ ପୂର୍ବେ ପ୍ରାୟ ୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାଳିବନ୍ଧଠାରେ ଏକ ଚେକ ଡ୍ୟାମ ନିର୍ମାଣ ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁ ଚଳିତ ବନ୍ୟାଜଳରେ ଏହା ଧୋଇଯାଇଥିଲା। ନଦୀରେ ପାଣି ଥିଲେ ମଧ୍ୟ ଜମିରେ ପାଣି ମଡ଼ାଇବାରେ ବଞ୍ଚିତ ହୋଇଥିଲେ ଚାଷୀ। ଫଳରେ ପ୍ରାୟ ୪ଶହ ହେକ୍ଟର ଜମି ପଡିଆ ପଡିଛି ବୋଲି ଗ୍ରାମବାସୀ କହିଛନ୍ତି। ବନ୍ଧ ନିର୍ମାଣ ଲାଗି ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନକୁ ଅନୁରୋଧ କରଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ସ୍ଥାନୀୟ ଗ୍ରାମବାସୀ ଏକତ୍ରିତ ହୋଇ ମାଟି ଓ ବାଲିବସ୍ତା ଦେଇ ବନ୍ଧ ନିର୍ମାଣ କରି ଜମିକୁ ପାଣି ମଡ଼ାଇବା ପାଇଁ ବ୍ୟବସ୍ଥା କରିଥିଲେ। ଖରିଫ ଚାଷ ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ ଏହି ଅସ୍ଥାୟୀ ବନ୍ଧ ନିର୍ମାଣ କରାଯାଇଛି ବୋଲି ଗ୍ରାମବାସୀ କହିଛନ୍ତି। ଭାଙ୍ଗି ଯାଇଥିବା ମାଳିବନ୍ଧକୁ ତୁରନ୍ତ ନିର୍ମାଣ ଲାଗି ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ଲାଗି ଜିଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ଭାଜପା କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel