ଭୋପାଳ,୧୭।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ସ୍ଥାନୀୟ ରୟୋପୁରରେ ପାର୍ବତୀ ନଦୀରେ ବନ୍ୟା ଜଳ ଆସିଛି। ଫଳରେ ମାଧୋପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଠାରେ ଥିବା ପାଲି ଜାତୀୟ ରାଜପଥର ଚନ୍ଦେଲୀ ପୋଲ ବନ୍ୟା ଜଳରେ ବୁଡ଼ି ଯାଇଛି। ଏହି ଅଞ୍ଚଳରେ ଥିବା ସୋଇଙ୍କଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାରୁ ପରିବାର ସଦସ୍ୟ ତାଙ୍କର ଅନ୍ତିମ ସଂସ୍କାର ପାଇଁ ୪ ଫୁଟ ବନ୍ୟା ଜଳରେ ମୃତ ଦେହକୁ ହସ୍ପିଟାଲରୁ ଗାଁକୁ ବୋହି ନେଉଥିଲେ। କିଛି ଦୂରରେ ବନ୍ୟା ସ୍ଥିତି ତଦାରଖ କରୁଥିବା ବିଧାୟକ ବାବୁ ଜଣ୍ଡେଲ୍ ଏହା ଦେଖି ତତ୍କ୍ଷଣାତ୍ ବନ୍ୟା ଜଳରେ ପଶି କାନ୍ଧରେ ଏହାକୁ ବୋହିଥିଲେ। ଏହା ସହିତ ଅନ୍ତିମ ସଂସ୍କାର ଲାଗି ଗାଁକୁ ମୃତଦେହକୁ ନେବା ପାଇଁ ବିଧାୟକ ବ୍ୟବସ୍ଥା କରିଥିଲେ। ବିଧାୟକ ମୃତଦେହ ବୋହିବାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।