Categories: ଜାତୀୟ

ବନ୍ୟାରେ ଭାସିବ ମୁମ୍ବାଇ-କୋଲକାତା: ୨୧୦୦ ସୁଦ୍ଧା ହିନ୍ଦୁକୁଶ ହିମାଳୟ ହିମନଦୀର ୨ ତୃତୀୟାଂଶ ତରଳିବ; ୧୫୦ ନିୟୁତରୁ ଅଧିକ ଲୋକ ହରାଇବେ ଭିଟାମାଟି

ନୂଆଦିଲ୍ଲୀ,୨୬।୯: ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱତାପମାନ ବୃଦ୍ଧିର ପ୍ରଭାବ ଯୋଗୁ ହିନ୍ଦୁ କୁଶ ହିମାଳୟ ହିମନଦୀ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ୨୧୦୦ ମସିହା ସୁଦ୍ଧା ହିମନଦୀର ୨ ତୃତୀୟାଂଶ ତରଳିଯିବ। ଫଳରେ ସମୁଦ୍ର ଜଳସ୍ତର ୫୦ ସେମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାଦ୍ୱାରା ଉପକୂଳ ଅଞ୍ଚଳରେ ସମୁଦ୍ର ପାଣି ମାଡ଼ିଯିବ। ଫଳରେ ଏଠାରେ ବାସ କରୁଥିବା ୧୫୦ ନିୟୁତରୁ ଅଧିକ ଲୋକ ନିଜର ଭିଟାମାଟି ହରାଇବେ ବୋଲି ବିଶ୍ୱ ଜଳବାୟୁ ରିପୋର୍ଟରେ ପ୍ରକାଶ ପାଇଛି। ହିନ୍ଦୁ କୁଶ ହିମାଳୟ ହିମନଦୀ ଯୋଗୁ ଭାରତ, ପାକିସ୍ତାନ, ଆଫଗାନୀସ୍ତାନ, ତିବ୍ବତ, ଚାଇନା, ନେପାଳ, ବାଂଲାଦେଶ ଆଦି ଦେଶର ୧୨୦ ନିୟୁତ ଲୋକ ଜଳସେଚନ ସୁବିଧା ପାଇଥାନ୍ତି। ସେହିପରି ଏସବୁ ଦେଶର ୧୩୦ କୋଟିରୁ ଅଧିକ ନଦୀକୂଳରେ ବାସ କରୁଥିବା ଲୋକ ଉପକୃତ ହୋଇଥାନ୍ତି। ତେବେ ଆଗାମୀ ଦିନରେ ହିମନଦୀର ୬୦ ପ୍ରତିଶତ ତରଳି ଯିବାର ଆଶଙ୍କା ରହିଛି। ଏହାର ପ୍ରଭାବ କେନ୍ଦ୍ରୀୟ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଏସିଆ ରାଷ୍ଟ୍ରର ୪୬ଟି ସହର ଉପରେ ପଡ଼ିବ। ସେହିପରି ଭାରତର ମୁମ୍ବାଇ ଏବଂ କୋଲକାତାରେ ବାରମ୍ବାର ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share