Categories: ଜାତୀୟ

ବନ୍ୟା କଲା ବେଘର: ଜାତୀୟ ରାଜପଥର ରୋଡ୍‌ ଡିଭାଇଡର ଏବେ ପାଲଟିଛି ଆଶ୍ରୟ ସ୍ଥଳ

ପାଟନା,୨୧।୭: ବିହାରରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ବେଘର ହୋଇ ଜୀବନ ବିକଳରେ ଲୋକେ ଉଚ୍ଚାସ୍ଥାନକୁ ପଳାଇ ଆସିଛନ୍ତି। କମଳା ନଦୀରେ ବନ୍ୟା ଯୋଗୁ ୧୫ ଶହରୁ ଅଧିକ ପ୍ରଭାବିତଙ୍କ ଆଶ୍ରୟ ସ୍ଥଳ ପାଲଟିଛି ଜାତୀୟ ରାଜପଥର ରୋଡ୍‌ ଡିଭାଇଡର। ଜାତୀୟ ରାଜପଥ-୫୭ର ରୋଡ୍‌ ଡିଭାଇଡର୍‌ରେ ଏକ ସପ୍ତାହରୁ ଅଧିକ ଦିନ ହେଲା ବନ୍ୟା ପୀଡ଼ିତ ମାନେ ରହିଛନ୍ତି। ଛୋଟ ଛୋଟ ତମ୍ବୁଟାଣି ବନ୍ୟା ପୀଡ଼ିତମାନେ ଏଠାରେ ରହୁଛନ୍ତି। ରୋଡ୍‌ ଡିଭାଇଡର ଉପରେ ୫ କିଲୋମିଟର ବ୍ୟାପି ଏଭଳି ତମ୍ବୁ ଦେଖିବାକୁ ମିଳୁଛି। ଏଠାରେ ସରକାରଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଆବଶ୍ୟକ ରିଲିଫ୍‌ ଏବଂ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ସ୍ଥାନୀୟ ଜିଲାପାଳ ଶୀର୍ଷତ କପିଲ୍‌ ଅଶୋକ କହିଛନ୍ତି ଯେ, ବନ୍ୟା ପୀଡ଼ିତଙ୍କ ସୁରକ୍ଷା ଲାଗି ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ବନ୍ଦ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରହିଥିବା ସେ ସୂଚନା ଦେଇଛନ୍ତି।

Share