ବନ୍ୟା କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍‌ଆର୍‌ସି:୧୭ ସୁଦ୍ଧା ରିପୋର୍ଟ ଦେବାକୁ ୯ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ)- ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ନେଇ ୯ ଜିଲାର ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ରିପୋର୍ଟ ମାଗିଛନ୍ତି। ଆସନ୍ତା ୧୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ବଲାଙ୍ଗୀର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବାବେଳେ ଉପରୋକ୍ତ ୯ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ଓ ବନ୍ୟାରେ ଚାଷଜନିତ କ୍ଷୟକ୍ଷତି ସହିତ ଜାତୀୟ ସମ୍ପତ୍ତି ନଷ୍ଟ ହୋଇଛି। ଘର, ଚାଷ ଜମି, ମାଛଚାଷ, ପଶୁପାଳନ, ଡଙ୍ଗା, ଜାଲ, ମାଛଚାଷ ପୋଖରୀ, ଫସଲହାନି, ହସ୍ତତନ୍ତ ଶିଳ୍ପଜନିତ କ୍ଷତିର ରିପୋର୍ଟ ଏସ୍‌ଆର୍‌ସି ମାଗିଛନ୍ତି। ସେହିପରି ଜାତୀୟ ସମ୍ପତ୍ତି ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଘର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରାସ୍ତା, ପୋଲ, କଲଭର୍ଟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଜଳସେଚନ ବ୍ୟବସ୍ଥା, ପଞ୍ଚାୟତ ଘର, ଅଙ୍ଗନଓ୍ବାଡ଼ି ଘର, ମହିଳା ମଣ୍ଡଳ, ଯୁବ କେନ୍ଦ୍ର, କମ୍ୟୁନିଟି ହଲ, ବିଦ୍ୟୁତ ଖୁଣ୍ଟ ଓ ବିଦ୍ୟୁତ ଷ୍ଟେଶନରେ କ’ଣ କ୍ଷତି ହୋଇଛି ଏସ୍‌ଆର୍‌ସି ଜାଣିବାକୁ ଚାହିଁଛନ୍ତି। କ୍ଷୟକ୍ଷତି ହୋଇଥିବା ସ୍ଥାନର ଆବଶ୍ୟକ ଫଟୋ ପ୍ରମାଣପତ୍ର ସହ ରିପୋର୍ଟ ଦେବାକୁ ପଡ଼ିବ। କ୍ଷତିଗ୍ରସ୍ତ ବ୍ୟକ୍ତି ବିଶେଷଙ୍କୁ ସମସ୍ତ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ଦିଆଯିବ ବୋଲି ସରକାର କହିଛନ୍ତି।

Share