ନୂଆଦିଲ୍ଲୀ, ୯।୮: କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାୟନାଡ ଜିଲା। ଏଠାରୁ ଏମ୍ପି ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବନ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, କେରଳରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏର୍ନାକୁଲମ, ତ୍ରିଶୁର, ପଠାନମଥିଟ୍ଟା, ମଲ୍ଲପୁରମ ଆଦି ଜିଲାରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବର୍ଷା ପାଣି ଘରେ ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁ ୧୪ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି।