ବଲାଙ୍ଗୀର ଜିଲାର ବନ୍ୟାଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ, ସ୍ବତନ୍ତ୍ର ସହାୟତା ପାଇଁ ପ୍ରତିଶ୍ରୁତି

ବଲାଙ୍ଗୀର ଅଫିସ, ୧୬।୮: ବଲାଙ୍ଗୀର ଜିଲାର ବନ୍ୟାଞ୍ଚଳ ପରିଦର୍ଶନକରି ଶନିବାର ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଜିଲାର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ଜନପ୍ରତିନିଧି ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରଧାନ ବନ୍ୟାର ଭିଡିଓ ଫୁଟେଜ ଦେଖି ଏହି ଅଦ୍ଭୁତପୂର୍ବ ବନ୍ୟା ମୁକାବିଲାରେ ଅଂଶଗ୍ରହଣ କରିଥିବା ଜିଲା ପ୍ରଶାସନ, ପୋଲିସ ପ୍ରଶାସନ, ଏନ୍‌ଡିଆର୍‌ଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଜିଲାର ଜନସାଧାରଣଙ୍କୁ ପ୍ରଶଂସା କରିଥିଲେ । ବଲାଙ୍ଗୀର ଜିଲା ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ସହାୟତା ପାଇଁ ସେ ପଦକ୍ଷେପ ନେବେ ବୋଲି କହିଥିଲେ । ସମୀକ୍ଷା ବୈଠକ ପୂର୍ବରୁ ସହରର ବରପାଲିପଡ଼ାର ବନ୍ୟା କ୍ଷତିଗ୍ରସ୍ତ ପୋଲ ପରିଦର୍ଶନ କରିଥିଲେ। ଏହା ପୂର୍ବରୁ ହେଲିକପ୍ଟର ଯୋଗେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର ଆଦି ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ବୈଠକରେ ରାଜ୍ୟ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷା, ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ଡିଆର୍‌ଡିଏ ପିଡି ଡ. ମହେଶ୍ବର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।