ବନ୍ୟା ବିତ୍ପାତରେ ୪ ଦେଶରେ ୬ ଶହଙ୍କ ମୃତ୍ୟୁ; ୨୫ ନିୟୁତ ପ୍ରଭାବିତ: ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୭।୭: ଦକ୍ଷିଣ ଏସିଆର ୪ ଦେଶରେ ବନ୍ୟା ବିତ୍ପାତରେ ୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏହାଦ୍ୱାରା ୨୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ଏନେଇ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଭାରତ, ବାଂଲାଦେଶ, ନେପାଳ ଏବଂ ମ୍ୟାନ୍‌ମାର୍‌ରେ ହୋଇଥିବା ବନ୍ୟା ସମ୍ପର୍କିତ ରିପୋର୍ଟ ଜାତିସଂଘ ପକ୍ଷରୁ ଏହା ପ୍ରକାଶ ପାଇଛି। ଏହା ସହିତ ପ୍ରାୟ ୫୦ ଲକ୍ଷ ଲୋକ ଭିଟାମାଟି ଛାଡିଥିବା ଏହି ରିପୋର୍ଟରେ କୁହାଯାଇଛି। ଭାରତରେ ୟୁନିସେଫ୍‌ ପକ୍ଷରୁ ଆବଶ୍ୟକ ଥଇଥାନ କାର୍ଯ୍ୟ ଜାରି ରହିଛି। ବନ୍ୟା ଦ୍ୱାରା ଭାରତର ଆସାମ, ବିହାର ଏବଂ ଉତ୍ତରପ୍ରଦେଶରେ ଅଧିକ କ୍ଷୟକ୍ଷତି ହୋଇଛି। ଏସବୁ ରାଜ୍ୟରେ ୧୦ ନିୟୁତ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪.୩ ନିୟୁତ ଶିଶୁ ଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଆସାମରେ ୨ ହଜାର ସ୍କୁଲ ଘର ଭାଙ୍ଗି ଯାଇଛି। ସେହିପରି ବାଂଲାଦେଶରେ ପ୍ରଭାବିତଙ୍କୁ ପିଇବା ପାଣି ମଧ୍ୟ ମିଳୁ ନ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ବନ୍ୟାଯୋଗୁ ମ୍ୟାନ୍‌ମାର୍‌ରେ ୪୦ ହଜାର ଲୋକ ଭିଟାମାଟି ଛାଡିଛନ୍ତି। ସେହିପରି ନେପାଳରେ ୬୮ ହଜାର ୬ଶହ ୬୬ ଜଣ ଲୋକ ସ୍ଥାନାନ୍ତର ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share