Categories: ବାଣିଜ୍ୟ

ବନ୍ୟା, ଭୂମିକମ୍ପ ପାଇଁ ଅଲଗା ହେବ ଗାଡ଼ି ବୀମା ପଲିସି

ନୂଆଦିଲ୍ଲୀ,୨୪।୬: ସାଧାରଣ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଭଙ୍ଗାରୁଜା ଏବଂ ଦଙ୍ଗା ଭଳି ଘଟଣା ଲାଗି ଏଣିକି ଗାଡ଼ି ଲାଗି ସ୍ବତନ୍ତ୍ର ବାର୍ଷିକ ବୀମା ପଲିସି ଉପଲବ୍ଧ କରିବେ। ବୀମା ନିୟାମକ ଆଇଆର୍‌ଡିଏ ସାଧାରଣ ବୀମା କମ୍ପାନୀଙ୍କୁ ସେପ୍ଟେମ୍ବର ପହିଲାରୁ ନୂଆ ଅଥବା ପୁରୁଣା କାର୍‌, ଦୁଇଚକିଆ ଯାନ ଲାଗି ଅଲଗା ଅଲଗା ପ୍ରକାର ବୀମା ପଲିସି ଉପଲବ୍ଧ କରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ବୀମା ନିୟାମକ ପ୍ରାଧିକରଣ(ଆଇଆର୍‌ଡିଏ) ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ କରିବାକୁ ଯାଇ ନିଜର ପୂର୍ବର ନିର୍ଦ୍ଦେଶରେ ସଂଶୋଧନ କରିଛନ୍ତି। ଏଣିକି ସେପ୍ଟେମ୍ବର ପହିଲାରୁ ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ, ଭଙ୍ଗାରୁଜା ଓ ଦଙ୍ଗାର ବୀମା ପଲିସି ଏକୀକୃତ ହେବ ନାହିଁ। ଗାଡ଼ିକୁ ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଦଙ୍ଗା ଯୋଗୁ ହେଉଥିବା ଭଙ୍ଗାରୁଜା ଘଟଣାଯୋଗୁ ହେଉଥିବା ସ୍ବତଃ କ୍ଷତି(ଓନ୍‌ ଡ୍ୟାମେଜ୍‌ ବା ଓଡି) ବିପଦରୁ ରକ୍ଷା ପାଇବା ଲାଗି କିଣାଯିବାକୁ ଥିବା ବୀମା ପଲିସିକୁ ବୈକଳ୍ପିକ ରଖାଯାଇଛି। ଏଣିକି ସେପ୍ଟେମ୍ବର ପହିଲାରୁ ବୀମା କମ୍ପାନୀଗୁଡ଼ିକ ଅଲଗା ଅଲଗା ବୀମା ପଲିସି ଜାରି କରିିପାରିବେ। ବର୍ତ୍ତମାନ ବୀମା କମ୍ପାନୀଗୁଡ଼ିକୁ ସ୍ବତଃ କ୍ଷତି ପାଇଁ ଦୀର୍ଘମିଆଦି ପଲିସି ଜାରି କରିବାକୁ ଅନୁମତି ଦିଆଯାଉ ନାହିଁ।

Share