ବନ୍ୟା, ଭୂସ୍ଖଳନରେ ୬୦ ମୃତ

ଡର୍ବାନ ୨୫ା୪: ଦକ୍ଷିଣ ଆଫ୍ରିକାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୬୦ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। କେତେକ ଶିଶୁ ନିଖୋଜ ହୋଇଯାଇ ଥିଲାବେଳେ ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷାଜନିତ ବନ୍ୟା ଯୋଗୁଁ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ଓ ୧୦ ବର୍ଷର ନାବାଳକ ସାମିଲ ଥିବା ମନ୍ତ୍ରୀନୋମୁସା ଦୁବେ କୁବେ ପ୍ରକାଶ କରିଛନ୍ତି। ଡର୍ବାନରେ ୧୦ ଶିଶୁ ନିଖୋଜ ହୋଇଯାଇ ଥିଲାବେଳେ ୪୨ ଜଣ ଆହତ ହୋଇଛନ୍ତି। ଏଠାରେ ଥିବା ଏକ ହିନ୍ଦୁ ମନ୍ଦିରରେ ୧୦ ଫୁଟ ଉଚ୍ଚର ପାଣି ପଶିଯାଇଥିବା ପ୍ରକାଶ। ମାଟି ଧସି ଓ କାନ୍ଥ ପଡି ଅନେକ ଲୋକ ପ୍ରାଣ ହରାଇଛନ୍ତି। ବନ୍ୟାଜଳରେ ରାସ୍ତାଘାଟ ବୁଡି କେତେକ ପୋଲ ଭାଙ୍ଗି ଯାଇଥିବା ଜଣାପଡିଛି। ଉଦ୍ଧାର ଓ ଥଇଥାନ ଲାଗି ସେନାକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ଜଣାପଡିଛି। ପ୍ରଭାବିତଙ୍କୁ ରିଲିଫ ଓ ଖାଦ୍ୟ ପୁଡିଆ ସରକାର ପ୍ରଦାନ କରିଛନ୍ତି। ଦକ୍ଷିଣ ଆଫ୍ରିକା ପାଣିପାଗ ବିଭାଗ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି।

Share