ବନ କର୍ମଚାରୀଙ୍କୁ ଆକ୍ରମଣ: ୨ ମହିଳା କର୍ମଚାରୀ, ପାରାଷ୍ଟାଫ୍‌ ଆହତ

ଖୁଣ୍ଟୁଣି,୨୧।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅନ୍ତର୍ଗତ ମହାଲକ୍ଷ୍ମୀପୁର ଜଙ୍ଗଲରେ ଚୋରା କାଠ, କୋଇଲା ଧରିବାକୁ ଯାଇ ବନ କର୍ମଚାରୀମାନେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ସୋମବାର ମଧ୍ୟାହ୍ନରେ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ସୋମବାର ମହାଲକ୍ଷ୍ମୀପୁର ଗ୍ରାମ ନିକଟରେ ଏକ ଚୋରା କୋଇଲା ବୋଝେଇ ୪୦୭ ଥିବା ଖବରପାଇ ବନାଞ୍ଚଳ ଅଧିକାରୀ ତାଙ୍କ ସହଯୋଗୀମାନଙ୍କ ସହ ସେଠାରେ ପହଞ୍ଚି ପ୍ରଥମେ ଗାଡ଼ିଟିକୁ ଜବତ କରିଥିଲେ। ଏହାପରେ ସେମାନେ ଗାଡ଼ିକୁ ବନାଞ୍ଚଳ କାର୍ଯ୍ୟାଳୟକୁ ପଠାଇଥିଲେ। ଅନ୍ୟସ୍ଥାନରେ କୋଇଲା ଲୁଚାଯାଇଥିବା ସନ୍ଦେହରେ ଖୋଜାଖୋଜି ସାରି ବନ ବିଭାଗର ୨ଟି ଗାଡ଼ିରେ ସମସ୍ତ ଷ୍ଟାଫ୍‌ ବସିବା ମାତ୍ରେ ଉକ୍ତ ଗ୍ରାମର ନମ ବେହେରା, ତାଙ୍କ ୨ ପୁଅ ଓ ସ୍ତ୍ରୀ ମିଶି କଟୁରି ଖଣ୍ଡା ଧରି କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ତାଙ୍କ ସ୍ତ୍ରୀ ଟେକା ମାରିବାରୁ ୨ ମହିଳା ଫରେଷ୍ଟ ଗାର୍ଡ ଓ ପାରାଷ୍ଟାଫ୍‌ ଆହତ ହୋଇଛନ୍ତି। ପରେ ସେମାନେ ବନ ବିଭାଗର ୨ ଗାଡ଼ିର କାଚ ଭାଙ୍ଗି ଖସି ପଳାଇଥିଲେ।