ବନ ବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର କାଠ ସହ ବାଇକ ଜବତ, ୪ ଗିରଫ

ବଡ଼ବିଲ,୧୭।୧୦(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଚୋରା ଚାଲାଣ ବେଳେ ୪ କାଠ ମାଫିଆଙ୍କୁ ବୁଧବାର ରାତିରେ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା ମଝିଗାଁ ଥାନା ଖାଲପଶି ଗ୍ରାମର ଏମାନୁଲ ହୁସୈନ, ରୁଗୁଡ଼ି ଥାନା କୋହ୍ଲ ରୋଇଡ଼ା ଗ୍ରାମର ଜିତେନ୍ଦ୍ର ହେମ୍ବ୍ରମ, କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବନେଇକଳା ଅଞ୍ଚଳର ଜନ୍‌ ମୁଣ୍ଡା ଓ ଜିତେନ ମୁଣ୍ଡା। ବନ ବିଭାଗ ଘଟଣାସ୍ଥଳରୁ ୬ଟି କାଠଗଣ୍ଡି, ୧୪ଟି ସିଲପଟ, ଗୋଟିଏ କରତ ଏବଂ ଗୋଟିଏ ବାଇକ ଜବତ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗୁଆଲି ଫରେଷ୍ଟର ଦାୟିତ୍ୱରେ ଥିବା ବଡ଼ବିଲ ଫରେଷ୍ଟର ଦଶରଥ ଗିରି, କେନ୍ଦୁଡିହ ବିଟ୍‌ ଫରେଷ୍ଟ ଗାର୍ଡ ସରୋଜ ନାଏକ ଓ ଝାଡଗାଁ ବିଟ୍‌ ଫରେଷ୍ଟ ଗାର୍ଡ ରତ୍ନାକର ମହାନ୍ତ ମିଳିତ ଭାବେ ବୁଧବାର ରାତିରେ ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କ ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଅଭିଯୁକ୍ତମାନଙ୍କୁ ଧରିଥିଲେ।