ବନ ମହୋତ୍ସବରେ ସଂକଳ୍ପ:ମହାପ୍ରଭୁଙ୍କ ସେବା ପାଇଁ ପ୍ରାଚୀ ତଟରେ ହେବ ପଦ୍ମବନ ପ୍ରକଳ୍ପ

ଗୋପ/କାକଟପୁର, ୨।୭(ଡି.ଏନ୍‌.ଏ.)-୭୦ତମ ବନମୋହତ୍ସବ ଅବସରରେ ପୁରୀ ଜିଲା ଗୋପ ବ୍ଲକ ନୟାହାଟ ସ୍ଥିତ ପ୍ରାଚୀ ତଟରେ ପଦ୍ମବନ ପ୍ରକଳ୍ପ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତିର ଜୀବନରେଖା ପବିତ୍ର ପ୍ରାଚୀ ନଦୀ ଅବବାହିକାରେ ପୂର୍ବପରି ବନାଞ୍ଚଳ ସୃଷ୍ଟି, ମଧୁର ଜଳ ସଂରକ୍ଷଣ ପ୍ରକଳ୍ପ, ମହାପ୍ରଭୁଙ୍କ ପଦ୍ମବେଶ ସେବା ପାଇଁ ପଦ୍ମବନ ପ୍ରକଳ୍ପ ସୃଷ୍ଟି କରାଯିବା ପାଇଁ ‘ପ୍ରାଚୀ ସବୁଜ ବନାନୀ’ ସଂଗଠନ ଜନ ସଚେତନା ଆରମ୍ଭ କରିଛି।

ବର୍ତ୍ତମାନ ମହାପ୍ରଭୁଙ୍କ ସେବା ପାଇଁ ଆବଶ୍ୟକୀୟ ପଦ୍ମଫୁଲ ନ ମିଳିବା ଚିନ୍ତାର କାରଣ ପାଲଟିଛି। ମଙ୍ଗଳବାର ଏ ନେଇ ପୁରାଣ ପ୍ରସିଦ୍ଧ ଲଳିତା ମାଧବ ପୀଠରେ ପ୍ରାଚୀ ସବୁଜ ବନାନୀ ସଂଗଠନ ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଖାରବେଳଙ୍କ ସମୟରେ ପ୍ରାଚୀ ଅବବାହିକାରେ ମଧୁର ଜଳ ସଂରକ୍ଷଣ, ପଦ୍ମବନ ପ୍ରକଳ୍ପ ପାଇଁ ଖନନ ହୋଇଥିବା ଏକ ସହଶ୍ର ଜଳାଶୟର ସ୍ଥିତି ଅନୁଧ୍ୟାନ କରାଯିବା ଚର୍ଚ୍ଚା ହୋଇଥିଲା। ଏଥି ମଧ୍ୟରୁ ୨୫ ଏକର ବିଶିଷ୍ଟ ଖାରବେଳଙ୍କ କୋଳାପୋଖରୀ, ୨୦ ଏକର ବିଶିଷ୍ଟ ରାଣୀ ପୋଖରୀ, ୧୫ ଏକର ବିଶିଷ୍ଟ ସମେଶ୍ୱର ଶମ୍ଭୁପୀଠସ୍ଥଳ ପଦ୍ମପୋଖରୀ ସ୍ଥିତି ବିଷୟରେ ପଣ୍ଡିତ ମିଶ୍ର ସୂଚନା ଦେଇଥିଲେ। ଏବେ କୋଳା ପୋଖରୀ ୧୨ ଏକର, ରାଣୀ ପୋଖରୀ ୫ ଏକର, ସମେଶ୍ୱର ପଦ୍ମପୋଖରୀ ୫ ଏକର ପରିତ୍ୟକ୍ତ ସ୍ଥିତିକୁ ଆସିଯାଇଛି। ୧୫ ବର୍ଷ ଧରି ଏଠାରେ ଆଉ ପଦ୍ମଫୁଲ ଫୁଟୁନାହିଁ। ଏଭଳି ୩୫ଟି ଜଳାଶୟ ଚରମ ଅବହେଳାରେ ପଡ଼ିରହିଛି। ଏଥିପାଇଁ ରାଜସ୍ବ ବିଭାଗ, ବନବିଭାଗ, ପରିବେଶ ବିଭାଗ, ସଂସ୍କୃତି ବିଭାଗ, ଶ୍ରୀମନ୍ଦିର ପ୍ରଶାସନଙ୍କ ସହଯୋଗ କାମନା କରାଯାଇଛି। ପ୍ରାଚୀ ତଟ ବାସୀଙ୍କୁ ସବୁ ସ୍ତରରୁ ସହଯୋଗ ମିଳିଲେ ମହାପ୍ରଭୁଙ୍କ ଅଣସର ଫଳ ଭାର ସହିତ ପଦ୍ମଫୁଲ ଭାର ପଠାଯିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

Share