ବମକେଇରେ ପୁଣି ରାଜନୈତିକ ହିଂସା: ଅଟୋଚାଳକ ଗୁରୁତର

ଦିଗପହଣ୍ଡି,୧୧ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତରେ ପୁଣି ରାଜନୈତିକ ହିଂସା ଘଟିଛି। ଏକ ରାଜନୈତିକ ଦଳର ସମର୍ଥକ ହୃଷିକେଶ ପ୍ରଧାନଙ୍କୁ ଅନ୍ୟଏକ ଦଳର ୪ ଜଣ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହୃଷି ଅଟୋ ନେଇ ଘରକୁ ଫେରୁଥିବା ବେଳେ ବମକେଇ ଗ୍ରାମ ରାମ ମନ୍ଦିର ଛକରେ ପୂର୍ବ ଯୋଜନା ପ୍ରକାରେ ତାଙ୍କ ଯାତ୍ରୀବାହୀ ଅଟୋକୁ ଅଟକାଇ କେତେଜଣ ଆକ୍ରମଣ କରିଥିବା ସେ ଗୁରୁବାର କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି। ନଂ.୧୯୪/୧୯ରେ ମାମଲା ରୁଜୁକରି ପୋଲିସ ହରି ଓରଫ ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ ଜଣାଇଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ବୁଧବାର ରାତି ପ୍ରାୟ ସାଢ଼େ ୯ଟାରେ ନୂଆପଡ଼ା-ଚାନ୍ଦପୁର ଗ୍ରାମରୁ ହୃଷିକେଶ ବମକେଇ ଫେରୁଥିଲେ। ରାମ ମନ୍ଦିର ଛକ ଲକ୍ଷ୍ମୀ ନାରାୟଣ ସାହିରେ ଦୁର୍ଗା ପୂଜା ଭସାଣି ଶୋଭାଯାତ୍ରା ଚାଲିଥିଲା। ହୃଷିକେଶ ସେଠାରେ ପହଞ୍ଚତ୍ବା କ୍ଷଣି ତାଙ୍କୁ ଆକ୍ରମଣ କରିଥିଲେ। ଖବର ପ୍ରଚାରିତ ପରେ ହୃଷିଙ୍କ ସମର୍ଥକ ଆକ୍ରମଣ କରିଥିବା ଗୋଷ୍ଠୀଙ୍କ ଘର ସମ୍ମୁଖରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଏନେଇ ହରିଶ୍ଚନ୍ଦ୍ରଙ୍କ ବାପା ବିପ୍ରଚରଣ ପ୍ରଧାନ କେ.ନୂଆଗାଁ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ନଂ.୧୯୫/୧୯ରେ ପୋଲିସ ବିପକ୍ଷ ଗୋଷ୍ଠୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ଅଗଷ୍ଟ ୧୯ରେ ଟୁନା ପ୍ରଧାନଙ୍କୁ ସିନ୍ଧୁଖାଳିଗାଁ ଛକରେ ବିପକ୍ଷ ଗୋଷ୍ଠୀ ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଟୁନାଙ୍କୁ ହୃଷିକେଶ ତାଙ୍କ ଅଟୋରେ ଡ଼ାକ୍ତରଖାନା ନେଇଥିଲେ। ଏହି ମାମଲାରେ ହୃଷିକେଶ ସାକ୍ଷୀ ଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯାଗ ହୋଇଛି।