ବରଗଛ ଦେଲା କୁକୁରର ମାଲିକାନା

ଫତେହାବାଦ: ଗୋଟିଏ ନାୟିକାକୁ ଦୁଇଜଣ ନାୟକ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାୟିକା ପାଇଁ କିପରି ଦୁହେଁ ଲଢ଼େଇ କରୁଛନ୍ତି ତାହା ବି ଆମେ ଊଣା ଅଧିକେ ଦେଖିଛେ। ସେଥିରୁ ଅଧିକାଂଶ ସିନେମା ସୁପରହିଟ୍‌ ମଧ୍ୟ ହୋଇଛି। ହେଲେ ଗୋଟିଏ କୁକୁର ଉପରେ ମାଲିକାନା ସାବ୍ୟସ୍ତ କରିବା ପାଇଁ ଦୁଇଜଣ ବ୍ୟକ୍ତି ମୁହଁାମୁହିଁ ହେବା ଭଳି ରୋଚକ ଘଟଣା ଘଟିଛି ହରିୟାଣାର ଫତେହାବାଦ ଅଞ୍ଚଳରେ। ଏପରି କି, ପ୍ରକୃତ ମାଲିକ କିଏ ତାହା ସାବ୍ୟସ୍ତ କରିବାକୁ କଥାଯାଇଛି ବରଗଛ ଛୁଇଁ ଶପଥ ପାଠ କରିବା ଯାଏ।
ସିଟି ପୋଲିସ ଷ୍ଟେଶନ ହାଉସ୍‌ ଅଫିସର (ଏସ୍‌ଏଚ୍‌ଓ) ୟାଦବିନ୍ଦର ସିଂ କୁହନ୍ତି, ରଟ୍‌ଓ୍ବେଲର ପ୍ରଜାତିର କୁକୁରକୁ ନେଇ ଉପୁଜିଥିଲା ଏପରି ବିବାଦୀୟ ପରିସ୍ଥିତି। ଅନିଲ କୁମାର ନାମକ ଜଣେ ବ୍ୟକ୍ତି ଉକ୍ତ କୁକୁର ଉପରେ ପ୍ରଥମେ ମାଲିକାନା ସାବ୍ୟସ୍ତ କରିଥିଲେ। ସେ ନିଜର ଅଭିଯୋଗରେ ଦର୍ଶାଇଥିଲେ ଯେ, ଏହି କୁକୁରଟି ତାଙ୍କର। ୬ଦିନ ପୂର୍ବରୁ ଗଳିରେ ବୁଲୁଥିବାବେଳେ ପ୍ରବୀଣ ନାମକ ଜଣେ ବ୍ୟକ୍ତି କୁକୁରଟିକୁ ନେଇଯାଇଥିଲେ। ଅନ୍ୟପଟେ କୁକୁରଟିକୁ ପାଳିଥିବା ନେଇ ପ୍ରବୀଣ ମଧ୍ୟ ଅନୁରୂପ ଭାବେ ଯୁକ୍ତି ବାଢ଼ିଥିଲେ। ୮ ଦିନ ପୂର୍ବରୁ ତାଙ୍କ କୁକୁରକୁ କେହି ଚୋରି କରି ନେଇଯାଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ। କୁକୁରଟିର ଦୁଇଜଣ ଦାବିଦାର ବାହାରିବା ପରେ ପୋଲିସର ମୁଣ୍ଡବ୍ୟଥା ବଢ଼ିଥିଲା। ପ୍ରକୃତ ମାଲିକ କିଏ ଜାଣିବା ପାଇଁ କୁକୁରର ପରୀକ୍ଷା କରାଗଲା। ଦୁଇଜଣ ଦାବିଦାରଙ୍କୁ ବସାଇ କୁକୁରକୁ ଛଡ଼ାଗଲା। ହେଲେ କୁକୁରଟି ଦୁଇଜଣଙ୍କ ପାଖକୁ ଚାଲିଯାଇଥିଲା। ଥାନାରେ ୨ଘଣ୍ଟାର ଆଲୋଚନା ପର୍ଯ୍ୟାଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରିଲାନାହିଁ। ଶେଷରେ ପଞ୍ଚାୟତକୁ କଥା ଗଲା।
ପଞ୍ଚାୟତ ସଦସ୍ୟଙ୍କ ନିକଟରେ ଦାବି ରଖିଲେ ଯେ, ଯଦି କୁକୁରର ପ୍ରକୃତ ମାଲିକ ବୋଲି ପ୍ରବୀଣ ଦାବି କରୁଛନ୍ତି, ତେବେ ସେ ବରଗଛକୁ ଛୁଇଁ ଶପଥ କରନ୍ତୁ। ଏହାପରେ ହିଁ କୁକୁରକୁ ତାଙ୍କୁ ହସ୍ତାନ୍ତର କରାଯିବ। ଦାବି ମୁତାବକ ପ୍ରବୀଣ ଶପଥ କରିବା ପରେ ସେ କୁକୁରର ପ୍ରକୃତ ମାଲିକ ବୋଲି ବିଶ୍ୱାସ ହୋଇଥିଲା ଏବଂ କୁକୁରଟିକୁ ତାଙ୍କୁ ପ୍ରଦାନ କରାଯାଇଥିଲା। ତେବେ ବରଗଛ ପାଇଁ କୁକୁରଟି ନିଜର ମାଲିକଙ୍କ ନିକଟରେ ପହଞ୍ଚତ୍ ପାରିଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି।

Share