ବରଗଡ଼ ଧନୁଯାତ୍ରା ଲାଗି କଂସ ଚୟନକୁ ନେଇ ବଢ଼ୁଛି ବିରୋଧ: କଳାକାର ସଂଘ ପରେ ଜିଲାପାଳଙ୍କୁ ଭେଟିଲା ଜିଲା ସାମ୍ବାଦିକ ସଂଘ

ବରଗଡ଼ ଅଫିସ,୭।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖଠାରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଅନୁଷ୍ଠିତ ହେବ । ଏଥର ଧନୁଯାତ୍ରା ପାଇଁ ମୁଖ୍ୟ ଚରିତ୍ର କଂସଙ୍କ ସମେତ ମହାମନ୍ତ୍ରୀ, ସେନାପତି ଭୁମିକା ପାଇଁ କଳାକାର ଚୟନ ହେବ ବୋଲି ଧନୁଯାତ୍ରା କଳାକାର ସମନ୍ବୟ ସମିତି ନିଷ୍ପତ୍ତି ନେଇଛି। ତେବେ ଦୁଇବର୍ଷ ତଳେ କଂସ ଚୟନ ସରିଥିବା ବେଳେ ପରମ୍ପରା ଅନୁଯାୟୀ ତିନିବର୍ଷ ନ ପୂରୁଣୁ ଏଥର ପୁଣି କଂସ ଚୟନକୁ ଧନୁଯାତ୍ରାପ୍ରେମୀ, କଳାକାରଙ୍କ ସମେତ ସାଧାରଣ ଜନତା ମଧ୍ୟ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପଶ୍ଚିମ ଓ ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଥିବାବେଳେ ଗୁରୁବାର ବରଗଡ ଜିଲା ସାମ୍ବାଦିକ ସଂଘ ସେଭଳି କଂସ ଚୟନକୁ ବିରୋଧ କରି ଜିଲାପାଳଙ୍କୁ ଆଉ ଏକ ସ୍ମାରକପତ୍ର ପ୍ରଦାନ କରିଛି। ସ୍ମାରକପତ୍ରରେ ଉଲ୍ଲେଖିତ କଂସ ଚୟନ ପ୍ରକ୍ରିୟାକୁ ରଦ୍ଦ କରିବାକୁ ଦାବି ହୋଇଛି। ସେହିପରି କଂସ ସମେତ ଅନ୍ୟ ଚରିତ୍ରର କଳାକାରଙ୍କୁ ଅତିକମରେ ୫ବର୍ଷର ଅଭିନୟ ସୁଯୋଗ ଦେବା, ନୂତନ କର୍ମକର୍ତ୍ତା ଚୟନ କରାଯାଇ ସେଥିରେ ଜିଲାର ସମସ୍ତ ସଂସ୍କୃତିପ୍ରେମୀ, କଳାକାରପ୍ରେମୀଙ୍କୁ ସାମିଲ କରିବା, ଦୀର୍ଘବର୍ଷ ଧରି ରହିଥିବା ଧନୁଯାତ୍ରା ମହୋତ୍ସବ ସମିତିର ଆବାହକଙ୍କୁ ଉପଦେଷ୍ଟାଭାବେ ରଖି ତାଙ୍କ ସ୍ଥାନରେ ନୂତନ ପୀଢିଙ୍କୁ ସୁଯୋଗ ଦେବା, ଆୟବ୍ୟୟର ହିସାବ ତଥା ପାସବୁକର ମିନି ଷ୍ଟେଟମେଣ୍ଟ ଲୋକଲୋଚନକୁ ଆଣିବା, ଡିଜିଟାଲ ଇଣ୍ଡିଆକୁ ଆଧାର କରି ଧନୁଯାତ୍ରାର ସମସ୍ତ ନେଣଦେଣ ଇ-ପେମେଣ୍ଟ କରାଯିବା, ପ୍ରଚାର ପ୍ରସାରକୁ ଆହୁରି ଗୁରୁତ୍ବ ଦିଆଯାଇ ଅଭିଜ୍ଞ ସାମ୍ବାଦିକଙ୍କୁ ସେଥିରେ ସାମିଲ ଏବଂ ଯାତ୍ରା ସମୟରେ ପାର୍କିଂ ଫି ସମେତ ମୀନାବଜାର ଆଦି ମନୋରଞ୍ଜନ କାର୍ଯ୍ୟକ୍ରମର ଉଚିତ ଟିକେଟ ଦର ନିର୍ଦ୍ଧାରଣ କରିବାକୁ ସ୍ମାରକପତ୍ରରେ ଦାବି ହୋଇଛି । ସଂଘର ସଭାପତି ନାସିର ଖାଁ, ସମ୍ପାଦକ ବିପିନ ବିହାରୀ ଦାଶ, ସହସମ୍ପାଦକ ମହମ୍ମଦ ଅସଲମ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Share