ବରଙ୍କୁ ବେଦିରୁ ଉଠାଇନେଲା ପୋଲିସ

ଖୋର୍ଦ୍ଧା ଅଫିସ, ୧୨ା୩: ପ୍ରଥମ ସ୍ତ୍ରୀ ଥାଇ ୨ୟ ବିବାହ କରୁଥିବା ଅଭିଯୋଗରେ ସ୍ବାମୀକୁ ବାହାବେଦିରୁ ଉଠାଇ ନେଇଛି ପୋଲିସ। ଏ ନେଇ ସ୍ବାମୀ ହଟହଟା ହେବା ସହ ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପୋଲିସ୍‌ ସୂଚନା ଅନୁସାରେ, ବୋଲଗଡ ଥାନା ମାଗୁରା ଗଁାର ଶିବ ପ୍ରସାଦ ମଙ୍ଗରାଜ(୩୫)। ଗତ ଦେଢବର୍ଷ ତଳେ ଫତେଗଡ ଥାନା ନାକଟେଇଁ ଗାଁର ରମା ପରିଡାଙ୍କ ଝିଅ ଲୋପାମୁଦ୍ରାଙ୍କୁ ଶିବ ପ୍ରସାଦ ବିବାହ କରିଥିଲେ। ବିବାହର କିଛିଦିନ ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଯାଇଥିଲା। ସ୍ତ୍ରୀଙ୍କ ଉପରେ ବାରମ୍ବାର ଯୌତୁକ ନିର୍ଯାତନା ଦେଇ ଆସୁଥିଲେ ଶିବ। ଏ ନେଇ ଅସହ୍ୟ ହୋଇ ଲୋପାମୁଦ୍ରା ବୋଲଗଡ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ପୋଲିସ ନଂ. ୫୫/୧୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଶିବପ୍ରସାଦ ବୁଧବାର ଅପରାହ୍ନ ସମୟରେ ବେଗୁନିଆ ଥାନା ଧଳାପଥର ଫାଣ୍ଡି ଅଧୀନ ଧବଳେଶ୍ୱର ମନ୍ଦିର ପରିସରରେ ଆଉ ଜଣେ କନ୍ୟାଙ୍କୁ ବିବାହ କରୁଥିଲେ। ଖବରପାଇ ରମା ଆସି ଧଳାପଥର ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା ବିବାହସ୍ଥଳରେ ପହଁଚି ବରଙ୍କୁ ଉଠାଇ ଆଣି ବୋଲଗଡ ଥାନା ଜିମା ଦେଇଥିଲେ। ଏଣେ କନ୍ୟାପକ୍ଷ ହଟହଟା ହୋଇ ଫେରି ଯାଇଥିଲେ। ଏ ସମ୍ପର୍କରେ ବୋଲଗଡ ଥାନା ଅଧିକାରୀ କୁହନ୍ତି, ଯୁବକଙ୍କୁ ଅଟକ ରଖି ତଦନ୍ତ କରାଯାଉଛି।

Share