ବରଦାନ ସାବ୍ୟସ୍ତ ହୋଇପାରେ ଆଣ୍ଟିବଡିଜ୍‌

ନ୍ୟୁୟର୍କ: କରୋନା ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ବ୍ଲଡ୍‌ ପ୍ଲାଜ୍‌ମା କ’ଣ ଏହି ମହାମାରୀ ସହ ଲଢ଼ିବାରେ ସହାୟକ ହେବ? କରୋନାର ଭୟାବହତା ଆଗରେ ବିଶ୍ୱବାସୀ ଅସହାୟ ହୋଇପଡ଼ିଥିବାବେଳେ ଏପରି ଏକ ପ୍ରଶ୍ନ ଏବେ ଦେଖାଇଛି ଆଶାର କିରଣ। ନ୍ୟୁୟର୍କର ଡାକ୍ତରମାନେ ଖୁବ୍‌ଶୀଘ୍ର ଏହାର ପ୍ରୟୋଗ କରିବାକୁ ଚିନ୍ତା କରୁଛନ୍ତି। କରୋନା ଭାଇରସ୍‌ ପ୍ରଭାବରେ ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଥିବା ରୋଗୀଙ୍କଠାରେ ଏହାକୁ ପ୍ରୟୋଗ କରାଯିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ହରାଇଥିବା ରୋଗୀଙ୍କ ବ୍ଲଡ୍‌ ପ୍ଲାଜ୍‌ମା ଆଣ୍ଟିବଡିଜ୍‌ର ପ୍ରମୁଖ ମାଧ୍ୟମ ହୋଇପାରିବ। ଦଶନ୍ଧି ଦଶନ୍ଧି ଧରି ଏହି ଉପାୟ ଆପଣାଇ ଅନେକ ମାରାତ୍ମକ ବ୍ୟାଧିର ଚିକିତ୍ସା ସମ୍ଭବ ହୋଇପାରିଛି। ଇବୋଲା, ଇନ୍‌ଫ୍ଲୁଏଞ୍ଜା ଭଳି ଘାତକ ରୋଗ କ୍ଷେତ୍ରରେ ଆଣ୍ଟିବଡିଜ୍‌ ବରଦାନ ସାବ୍ୟସ୍ତ ହୋଇଛି।
ମାଉଣ୍ଟ ସିନାଇ ହସ୍ପିଟାଲର ପ୍ରେସିଡେଣ୍ଟ ତଥା ଚିଫ୍‌ ଅପରେଟିଂ ଅଫିସର ଡା. ଡେବିଡ ଏଲ୍‌. ରିକ୍‌ କୁହନ୍ତି, ପରୀକ୍ଷା ନ ସରିବା ଯାଏ ଏହା କେତେ ଉପାଦେୟ ସାବ୍ୟସ୍ତ ହେବ ତାହା କହିବା ମୁସ୍କିଲ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସାଧାରଣ ରୋଗୀଙ୍କ ଉପରେ ଏହାକୁ ପ୍ରୟୋଗ କରାଯାଇପାରେ। କିନ୍ତୁ ଗମ୍ଭୀର ସ୍ଥିତିରେ ପହଞ୍ଚି ସାରିଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରିବା ପରିଣାମ ନକାରାତ୍ମକ ହୋଇପାରେ। ତେଣୁ ଠିକ୍‌ ସମୟରେ ଠିକ୍‌ ରୋଗୀଙ୍କୁ ଚିହ୍ନଟ କରି ଆଣ୍ଟିବଡିଜ୍‌ର ପ୍ରୟୋଗ କରିବା ଆବଶ୍ୟକ ବୋଲି ଡା. ରିକ୍‌ ପରାମର୍ଶ ଦେଇଛନ୍ତି।
ନ୍ୟୁୟର୍କ ବ୍ଲଡ ସେଣ୍ଟରର ଚିଫ୍‌ ମେଡିକାଲ ଅଫିସର ଡା. ବ୍ରୁସ୍‌ ସାଚେଜ୍‌ କୁହନ୍ତି, ଆମେରିକା ଫୁଡ୍‌ ଆଣ୍ଡ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରଶନ୍‌ ପକ୍ଷରୁ ଏଥିଲାଗି ଅନୁମତି ମିଳିଛି। ଏହାପରେ ନ୍ୟୁୟର୍କର ହସ୍ପିଟାଲ ଏହାର ପ୍ରୟୋଗ ଲାଗି ଅଣ୍ଟା ଭିଡ଼ିଛି। ଜଣେ ଡୋନରଙ୍କ ପାଖରୁ ସଂଗୃହୀତ ପ୍ଲାଜ୍‌ମାରେ ଅନୂ୍ୟନ ୩ଜଣ ରୋଗୀ ଭଲ ହୋଇପାରିବେ। ତାଙ୍କ ଶରୀରରୁ ୨୦% ଆଣ୍ଟିବଡ଼ିଜ୍‌ ନିଆଯିବ, ଯାହା ୨ରୁ ୪ଦିନ ମଧ୍ୟରେ ଆଉଥରେ ଭରଣା ହୋଇଯାଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି, ରୋଗୀଙ୍କ ଚିକିତ୍ସା ଲାଗି ଏଭଳି ଏକ ପ୍ରଡକ୍ଟ ବାହାରିବା ଜରୁରୀ ଆବଶ୍ୟକତା ରହିଛି। ଏପରି ପ୍ଲାଜ୍‌ମା ସଂଗ୍ରହ କରିବା ଲାଗି ନ୍ୟୁୟର୍କରେ ଥିବା ବ୍ଲଡ୍‌ ବ୍ୟାଙ୍କ ପର୍ଯ୍ୟାପ୍ତ ହେବନାହିଁ। ବିଭିନ୍ନ ବ୍ଲଡ୍‌ ସେଣ୍ଟର ସହ ଯୋଗାଯୋଗ ରକ୍ଷା କରି ଏ ଦିଗରେ କାମ କରାଯାଇପାରିବ। ଫଳରେ ଅଧିକରୁ ଅଧିକ ରୋଗୀ ଏହାଦ୍ୱାରା ଉପକୃତ ହୋଇପାରିବେ।

Share