Categories: ଜାତୀୟ

ବରଫଚାଦର ତଳେ ଶିମ୍‌ଲା-ମନାଲୀ: ଜନଜୀବନ ଅସ୍ତବ୍ୟସ୍ତ

ମନାଲୀ,୧୦।୧: ହିମାଚଳ ପ୍ରଦେଶ ମନାଲୀରେ ମଙ୍ଗଳବାର ଓ ବୁଧବାର ହୋଇଥିବା ପ୍ରବଳ ବରଫାପାତ ଯୋଗୁ ଅନେକ ରାସ୍ତାଘାଟ ବରଫଚାଦର ତଳେ ଢାଙ୍କି ହୋଇଯାଇଛି। ଏଥିପାଇଁ ଏବେ ବି ସମସ୍ତ ରାସ୍ତାଘାଟ ବନ୍ଦ ରହିଥିବା ସୂଚନା ମିଳିଛି। ରାସ୍ତା ବନ୍ଦ ଥିବାରୁ ଲୋକଙ୍କୁ ଯାତାୟାତରେ ବାଧା ଉପୁଜିଛି। ପ୍ରବଳ ବରଫପାତ ଯୋଗୁ କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ରୋହତାଙ୍ଗ ସୁରଙ୍ଗ ପରିଯୋଜନାରେ ଡିଜେଲ ଦ୍ୱାରା ଜେନେରେଟରକୁ ପରିଚାଳିତ କରାଯାଉଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ କିଛିଦିନରୁ ଲଗାତର ଥଣ୍ଡା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନିକଟରେ ଏଠାରେ ନୂ୍ୟନତମ ତାପମାତ୍ରା ମାଇନସ୍‌ ୭.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା। ଏହା ଚଳିତ ଋତୁର ସବୁଠାରୁ କମ୍‌ ତାପମାତ୍ରା ବୋଲି କୁହାଯାଉଛି। ଏଥିଯୋଗୁ ହୋଟେଲ ଓ ଘରେ ପିଇବା, ରୋଷେଇ କରିବା ପାଇଁ ପାଣି ଉପଲବ୍ଧ ହୋଇପାରୁନି। କାରଣ ସବୁ ନଳ ଓ ପାଣି ପାଇପରେ ବରଫ ଜମିଯାଇଛି। ସେହିପରି ଶିମ୍‌ଲାରେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରବଳ ଥଣ୍ଡା ଯୋଗୁ ଏଠାରେ ମଧ୍ୟ ପାଣି ନଳଗୁଡିକରେ ବରଫ ଜମିଯାଇଥିବାରୁ ସ୍ଥାନୀୟ ଲୋକେ ପାଣି ପାଇଁ ହାହାକାର ହେଉଛନ୍ତି। ଅପରପକ୍ଷେ ପ୍ରବଳ ବରଫପାତ ଯୋଗୁ ଏଠାରେ ୪ଟି ଡିଷ୍ଟ୍ରିବ୍ୟୁଶନ ଟ୍ରାନ୍ସଫର୍ମର ମଧ୍ୟ ବାଧିତ ହୋଇଥିବା ଜଣାପଡ଼ିଛି।

Share