ବରଯାତ୍ରୀରେ ବୁଢ଼ୀ ମାଉସୀଙ୍କଠୁ ମାଡ଼ ଖାଇଥିଲି

ଓଡ଼ିଆ ଟେଲିଭିଜନ ଦୁନିଆରେ ସୁଜିତ ପାଇକରାୟ ନାୟକ କମ୍‌, ଖଳନାୟକ ଭୂମିକାରେ ବେଶି ଦେଖିବାକୁ ମିଳନ୍ତି। ଭୁବନେଶ୍ୱରରେ ଜନ୍ମିତ ଏହି ଅଭିନେତା ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ମହଲରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ। ସୁମିତ୍ରା ଓ ସୂର୍ଯ୍ୟକାନ୍ତ ପାଇକରାୟଙ୍କ ପୁଅ ସୁଜିତଙ୍କ ଅନୁଭୂତିରୁ କିଛି..

ପରଦାରେ ଖଳନାୟକ ଭାବେ ମୋତେ ଅନେକ ଲୋକ ଦେଖିଛନ୍ତି। କିଛି ବର୍ଷ ତଳର ଘଟଣା। ନେଇ ଯାରେ ମେଘ ମୋତେ ସିରିଏଲରେ ମୁଁ ମହ୍ଲାର ପଟ୍ଟନାୟକ ଭୂମିକାରେ ଅଭିନୟ କରୁଥିଲି। ସିରିଏଲ ଟେଲିକାଷ୍ଟ ହେବା ସମୟର ଘଟଣା। ମୁଁ ଏକ ବରଯାତ୍ରୀରେ ଯାଇଥାଏ। ବର ଗାଡ଼ି କନ୍ୟାଘର ପାଖେ ପହଞ୍ଚିଲା। ବର ଗାଡ଼ିରୁ ଓହ୍ଲାଇ ଭିତରକୁ ଯାଇ ସାରିଥାଏ। ସେଠାରେ ଉପସ୍ଥିତ ସମସ୍ତ ଲୋକ ମୋତେ ବଲବଲ କରି ଅନାଉଥାନ୍ତି। ମୁଁ ଭାବୁଥାଏ ବୋଧହୁଏ ମୋତେ ସିରିଏଲରୁ ଚିହ୍ନି ଏମିତି ପ୍ରତିକ୍ରିୟା ଦେଉଛନ୍ତି। ହଠାତ୍‌ ଭିଡ଼ ଭିତରୁ ଜଣେ ବୁଢ଼ୀ ଲୋକ ପାଖକୁ ଆସିଲେ ଆଉ ମୋ କାନ ମୋଡ଼ି ଗୋଟେ ଥାପଡ ଲଗାଇଲେ। ‘ତୁ ସେ ସନ୍ଧ୍ୟା(ସିରିଏଲରେ ହିରୋଇନର ନାଁ)କୁ କାହିଁକି ହଇରାଣ କରୁଛୁ। ସେ ପ୍ରତ୍ୟୁଷ(ସିରିଏଲରେ ହିରୋର ନାଁ) ପାଖରେ ରହୁ। ତୋର କ’ଣ ଅସୁବିଧା ହଉଛି’। ବୁଢ଼ୀ ମାଉସୀ ଜଣକ ଏପରି କଥା ମୋତେ କହି ଚାଲିଗଲେ। ଅନ୍ୟକିଛି ଲୋକ ଆସି ମୋତେ ବୁଝାଶୁଝା କରୁଥାନ୍ତି। ହେଲେ ମୋ ଭିତରୁ ଗୋଟେ ଅନ୍ୟପ୍ରକାର ଖୁସି ଅନୁଭବ ହେଉଥାଏ। ଏତେ ଲୋକଙ୍କ ସାମ୍ନାରେ ମାଡ଼ ଖାଇଲି, ତାହା ଖରାପ ଲାଗୁ ନ ଥାଏ। ଯାହାହେଉ ମୋ ଅଭିନୟକୁ ଲୋକେ ପସନ୍ଦ କରୁଛନ୍ତି, ଏପରି ମିଠା ଅନୁଭବ ହେଉଥାଏ।
ଆଉ ଏକ ଅନୁଭୂତି ସମ୍ପର୍କରେ ସୁଜିତ କୁହନ୍ତି, ନିର୍ବାଚନ କ୍ୟାମ୍ପେନିଂରେ ବାଲେଶ୍ୱର ଯାଇଥାଏ। ସେଠାରେ ଭିଡ଼ ଏତେ ଥିଲା ଯେ, ମୋତେ କିଛି ସମୟ ପର୍ଯ୍ୟନ୍ତ ଆଦୌ ଭଲ ଲାଗିଲାନି। ଗାଡ଼ି ଗଡ଼ିବାର ପ୍ରଶ୍ନ ଉଠୁ ନ ଥାଏ। ମୁଁ ଚୁପ କରି ଏକ ଖୋଲା ଜିପ୍‌ରେ ବସିଥାଏ। କିଛି କଲେଜ ପଢ଼ୁଆ ପିଲା ମୋ ପାଖକୁ ଆସିଲେ। ହେଲେ ମୁଁ ଖରାପ ଭାବିବି ବୋଲି ଭାବି ମୋଠାରୁ ଅଳ୍ପ ଦୂରରେ ଛିଡ଼ା ହେଲେ। ମୋ ସହ କଥା ହେବାକୁ ନିଜନିଜ ଭିତରେ ଠେଲାପେଲା ହେଉଥାନ୍ତି। ଖଳନାୟକ ଭୂମିକାରେ ଦେଖିଦେଖି ସେମାନଙ୍କ ମନରେ ବି ଏପରି ଭାବନା ଥାଏ। କିଛି ସମୟ ପରେ ସେମାନଙ୍କୁ ପାଖକୁ ଡାକିଥିଲି ଆଉ ସେଲ୍‌ଫି ମଧ୍ୟ ଉଠାଇଥିଲି।

Share