ବରିଷ୍ଠ ନାଗରିକଙ୍କୁ ମାଡ଼ ଅଭିଯୋଗ: ୪ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିନି ପୋଲିସ

ଦିଗପହଣ୍ଡି,୧୫ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଚାଉଳିଆ ସାହିର ବୃଦ୍ଧ ସୁଦାମ ସାହୁଙ୍କୁ ୪ ଜଣ ଯୁବକ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୁଦାମଙ୍କୁ ଉଦ୍ଧାର ପାଇଁ ଆସିଥିବା ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ମଧ୍ୟ ସେମାନେ ଟଣାଓଟରା କରି ମାଡ଼ ମାରିଛନ୍ତି। ସୁଦାମଙ୍କ ଏତଲାକ୍ରମେ ଦିଗପହଣ୍ଡି ଥାନା ନଂ. ୧୪୭/୧୯ରେ ମାମଲା ରୁଜୁ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି ।
ଗତ ରବିବାର ଅପରାହ୍ନରେ ସୁଦାମ ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ର ଧରି ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପାଟି ଶୁଣି ସ୍ତ୍ରୀ ଓ ଝିଅ ଆସିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ଏତଲାରେ ଉଲ୍ଲେଖ ରହିଛି । ଘଟଣାର ୪ ଦିନ ପରେ ସୁଦାମଙ୍କ ସମେତ ତାଙ୍କ ପୁଅ ଓ ସ୍ତ୍ରୀଙ୍କ ନାଁରେ ଥାନାରେ ନଂ. ୧୪୮/୧୯ରେ ପାଲଟା ମାମଲା ରୁଜୁ ହୋଇଛି। ଉକ୍ତ ସାହିର ସ୍ବର୍ଗତ ସତ୍ୟ ନାରାୟଣ ସାହୁଙ୍କ ସ୍ତ୍ରୀ ଲକ୍ଷ୍ମୀ ଏ ନେଇ ଏତଲା ଦେବା ପରେ ବୁଧବାର ଅପରାହ୍ନରେ ମାମଲା ରୁଜୁ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏଏସ୍‌ଆଇ ଦିଲୀପ କୁମାର ସାହୁ କହିଛନ୍ତି। ତେବେ ପୋଲିସ ପାଲଟା ମକଦ୍ଦମା ରୁଜୁ କରିଥିବାରୁ ଗ୍ରାମବାସୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବ୍ରହ୍ମପୁର ଏସ୍‌ପିଙ୍କୁ ସାକ୍ଷାତ୍‌ କରି ସ୍ମାରକପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି। ଏ ନେଇ ବୁଧବାର ସନ୍ଧ୍ୟାରେ ଗ୍ରାମସଭା ଡକାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ ହୋଇଛି।