ବରିଷ୍ଠ ସାମ୍ବାଦିକ ଦିଲୀପଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର,୯।୯(ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍‌୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ଦିଲୀପଙ୍କ ସ୍ବତନ୍ତ୍ର ସ୍ଥାନ ଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିବା ସହ ଦିଲୀପଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଗତ ଅଶି ଦଶକରେ ସେ ଓଡ଼ିଆ ଖବରକାଗଜରୁ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ୧୯୯୩ରେ ବିଜନେସ୍‌ ଷ୍ଟାଣ୍ଡାର୍ଡରେ ଯୋଗଦେଇଥିଲେ। ରକ୍ତକର୍କଟ ରୋଗରେ ପୀଡ଼ିତ ଦିଲୀପ ରବିବାର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଭିନ୍ନ ଖବରକାଗଜରେ ନିୟମିତ ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ସମ୍ପର୍କିତ ସ୍ତମ୍ଭ ଲେଖିବା ସହ ଟେଲିଭିଜନରେ ମଧ୍ୟ ବଭିନ୍ନ ଆଲୋଚନାରେ ସେ ଭାଗ ନେଉଥିଲେ।