ବରୀରେ ବନ୍ୟା: ଫସଲ ନଷ୍ଟ ହେବା ଆଶଙ୍କା

ବରୀ/ରତ୍ନଗିରି,୧୦ା୯(ସ୍ବ.ପ୍ର/ଡି.ଏନ୍‌.ଏ.)- ବରୀ ଅଞ୍ଚଳ ଦେଇ ବ୍ରାହ୍ମଣୀ, ବିରୂପା, ଖରସ୍ରୋତା ଶାଖା ତନ୍ତୀଘାଇ ଏବଂ ଦୁଧେଇ ନଦୀ ପ୍ରବାହିତ ହୋଇଛି। ସୋମବାର ଏସବୁ ନଦୀରେ ବନ୍ୟାଜଳ ଆସିଛି। ଫଳରେ ବରୀ ଅଞ୍ଚଳର ରତଳାଙ୍ଗ, ଅଙ୍ଗାଳୋ ଆଦି ପଞ୍ଚାୟତର ବିଓଳି ଧାନ ଚାଷ ଜମିରେ ବନ୍ୟାଜଳ ମାଡିଯାଇଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ରତଳାଙ୍ଗ, ଡ଼ିହସାହି, ନଦୀ ବନ୍ଧ ଦୁର୍ବଳ ରହିଥିବାରୁ ବନ୍ଧ ଭାଙ୍ଗିଯିବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ଖରସ୍ରୋତାର ଶାଖା ନଦୀ ଦୁଧେଇରେ ବନ୍ୟାଜଳ ପ୍ରଭାବିତ ହେବାରୁ ବ୍ଲକ ଅଧୀନସ୍ଥ ବାଲିବିଲ ପଞ୍ଚାୟତର କେଁକରଡାକୁ ସଂଯୋଗ କରୁଥିବା ରାସ୍ତା ଉପରେ ୨ ଫୁଟର ପାଣି ଚାଲୁଛି। କଳାମାଟିଆ ପଞ୍ଚାୟତର ଜୋରକୂଳ ପ୍ରକଳ୍ପ ବିଦ୍ୟାଳୟ ପାଣିଘେରରେ ରହିଥିବା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ତେବେ ସନ୍ଧ୍ୟା ସୁଦ୍ଧା ନଦୀ ଜଳସ୍ତର କମିବାରେ ଲଗିଥିବା ଜଣାପଡିଛି। ସନ୍ଧ୍ୟା ସୁଦ୍ଧା ନଦୀଗୁଡିକରେ ଜଳସ୍ରୋତ ହ୍ରାସ ପାଉଥିବା ସୂଚନା ମିଳିଛି। ବ୍ରାହ୍ମଣୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଏହି ବନ୍ୟା କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ବନ୍ୟା ଯୋଗୁ ଢିଅବାରିଙ୍ଗି, ବଦପଡା, କଳାମାଟିଆ, ବାଲିବିଲ, କ୍ଷେମେଶ୍ୱର, ଅରଙ୍ଗାବାଦ, ଫୁଲପୁର ପ୍ରଭୃତି ରାଜସ୍ବ ଗ୍ରାମ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ଦାବି ହୋଇଛି।