ବରୀ ନିର୍ବାଚନମଣ୍ଡଳୀରୁ ଯୋଗଦେବେ ୩୦୦୦କର୍ମୀ

ରସୁଲପୁର,୨୯।୨(ଡିଏନଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ୫ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ବିଜୁଜୟନ୍ତୀ ଓ ପଞ୍ଚୟତିରାଜ ଦିବସ କଟକ ସହରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବରୀ ନିର୍ବାଚନ ମଣ୍ଡଳୀ ଅଧୀନ ୪୭ଟି ପଞ୍ଚାୟତରୁ ୩୦୦୦ ଛାମୁଆ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବରୀ ନିର୍ବାଚନ ମଣ୍ଡଳୀ ବିଧାୟିକା ସୁନନ୍ଦା ଦାସଙ୍କ ନେତୃତ୍ୱରେ ଅନେକ ସାଂଗଠନିକ କାର୍ଯ୍ୟକ୍ରମ ସଫଳତାର ରୂପ ନେଇଥିବାବେଳେ ଏବେ ପଞ୍ଚାୟତିରାଜ ଦିବସରେ ୩୦୦୦ କର୍ମୀଙ୍କୁ ପ୍ରତ୍ୟେକ ପଞ୍ଚାୟତରୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଯାହାକି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବରୀ ନିର୍ବାଚନ ମଣ୍ଡଳୀର ଅଂଶଗ୍ରହଣ ପ୍ରମୁଖ ଭୂମିକା ନେବାକୁ ଲକ୍ଷ୍ୟ ରଖିଛି ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି। ପ୍ରତି ପଞ୍ଚାୟତରୁ ଅନ୍ୟୁନ ୫୦ଜଣ କର୍ମୀ ଅଂଶଗ୍ରହଣ କରିବା ନେଇ ପ୍ରସ୍ତୁତି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏହିକ୍ରମରେ ଶୁକ୍ରବାର ଅପରାହ୍ନରେ ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଗୋପାଳପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ବରୀର ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟିକା ଦାସ ଯୋଗଦେଇ ଏହି ବ୍ଲକରୁ ବରୀ ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ୧୦ଟି ପଞ୍ଚାୟତରୁ ଜନପ୍ରତିନିଧି, ସଂଗଠନ, ଛାମୁଆ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସରପଞ୍ଚ ପ୍ରଫୁଲ ସାହୁ, ସୂର୍ଯ୍ୟମଣି ବେହେରା, ଅଭିମନ୍ୟୁ ମହାଳିକ, ନାଏବ ସରପଞ୍ଚ କୈଳାସ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଅର୍ଜୁନ ଚରଣ ନାୟକ, ବେଣୁଧର ଦାସ, ଶିକ୍ଷାବିତ୍‌ ସନାତନ ବାରିକ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏଥିସହ ବିଧାୟିକା ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଏ ଦିଗରେ ଭୋଟରଙ୍କ ସହାୟତା କାମନା କରିଥିଲେ।

Share