ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଲା ଭାଜପା: ମିଠା ବାଣ୍ଟି ଖୁସି ମନାଇଲେ ରସୁଲପର ବ୍ଲକ ଅଞ୍ଚଳର ଦଳୀୟ କର୍ମୀ

ରସୁଲପୁର,୨୨ା୮(ଡି.ଏନ୍‌.ଏ.): ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନ ବୁଧବାର ସରିଛି।ଦୀର୍ଘଦିନ ଧରି ଲାଗିରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ନିର୍ବାଚନ ଫଳ ଭାଜପା ସପକ୍ଷରେ ଯାଇଛି। ସୁଭାସିନୀ ନାଥଶର୍ମା ଅଧ୍ୟକ୍ଷା ହୋଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ୪,୦୩୪ଖଣ୍ଡ କମ୍‌ ଭୋଟରେ ବିରୋଧୀ ବିଜେଡିଠାରୁ ପରାଜୟ ବରଣ କରିଥିବା ଭାଜପା ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ଦମ୍‌ ଦେଖାଇଛନ୍ତି। ବରୀ ନିର୍ବାଚନମଣ୍ଡଳୀରେ ବିଜେଡିର ସୁନନ୍ଦା ଦାସ ବିଧାୟିକା ଥିଲେ ସୁଦ୍ଧା ସେ କର୍ତ୍ତୃତ୍ୱ ଜାହିର କରିବାରେ ବିଫଳ ହୋଇଛନ୍ତି। ଆଗାମୀ ଦିନରେ ବରୀ ନିର୍ବାଚନ ମଣ୍ଡଳିରେ ବିଜେଡି କଡ଼ା ଟକ୍କରର ସମ୍ମୁଖୀନ ହେବାର ଏହା ହେଉଛି ପୂର୍ବାଭାସ ବୋଲି କୁହାଯାଉଛି। ଭାଜପାକୁ ମିଳିଥିବା ସଫଳତାରେ ଦଳର ତୃଣମୂଳସ୍ତରର କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲ୍ଲକ୍ଷିତ ହୋଇଛି। ନିର୍ବାଚନରେ ପରାଜୟବରଣ କରି ଭାଙ୍ଗିପଡ଼ିଥିବା ଦଳୀୟ ନେତା ଓ କର୍ମୀମାନଙ୍କ ପାଇଁ ପଞ୍ଚାୟତ ସମିତି ଦଖଲ ସଂଜିବନୀ ଭଳି କାମ ଦେଇଛି। ଛାମୁଆ ନେତା ଓ କର୍ମୀଗଣ ବିଭିନ୍ନ ସ୍ଥାନରେ ଦଳୀୟ ପତାକା ତଳେ ଖୁସି ମନାଇଛନ୍ତି । ଏପରି କି ରସୁଲପୁର ବ୍ଲକ ଅଧିନସ୍ଥ ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦ଗୋଟି ପଞ୍ଚାୟତର କର୍ମୀମାନେ ପ୍ରଥମାଖଣ୍ଡି ପଞ୍ଚାୟତରେ ଏକତ୍ରିତ ହୋଇ ଖୁସି ମନାଇଛନ୍ତି। ଦଳୀୟ କର୍ମୀଙ୍କ ଭିତରେ ମିଠା ଖୁଆଖୁଆଇ ହେବା ସହ ଆତସବାଜି ଜରିଆରେ ଜନସାଧାରଣଙ୍କୁ ସଫଳତାର ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ଭାଜପାର ଜିଲାପରିଷଦ ସଦସ୍ୟ ଚତୁର୍ଭୂଜ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସରପଞ୍ଚ ଚିନ୍ତାମଣି ସୁର, ରସୁଲପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ରଶ୍ମିତା ଦାସ, ପଞ୍ଚାୟତ ଭାଜପା ସଭାପତି ସୂର୍ଯ୍ୟମଣି ମହାନ୍ତି, ପୂର୍ବତନ ସରପଞ୍ଚ ନାରାୟଣ ପତି, ଶଶିଭୂଷଣ ଦାଶ, ଧନେଶ୍ୱର ସାହୁ, ରବୀନ୍ଦ୍ର ସାହୁ, ସମିତିସଭ୍ୟ ବଟକୃଷ୍ଣ ସାହୁ, ସମବାୟ ନେତା ମୁକୁନ୍ଦଦେବ ମହାନ୍ତି, ମଣ୍ଡଳ ସଭାପତି ବିଜୟ ଜେନା, ଯୁବନେତା ରମେଶ ଚନ୍ଦ୍ର ସ୍ବାଇଁ, ସନାତନ ରଥ, ଅଶୋକ ମହାନ୍ତି, ମାଗୁଣି ମହାଳିକ, ଗଦାଧର ଦାସ, ଜନାର୍ଦ୍ଦନ ଷଡ଼ଙ୍ଗୀ, ହିମାଂଶୁ ନାୟକ, ଚକ୍ରଧର ବେହେରା, ପ୍ରଶାନ୍ତ ମଲିକ, ଚିନ୍ତାମଣୀ ପୃଷ୍ଟି ପ୍ରମୁଖ ଯୋଗଦେଇ ଯୁବନେତା ମଲ୍ଲିକଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share