ବରୁଣେଶ୍ୱରରେ ମାୟାବିନୀ ମୌସୁମୀ

ଓଡ଼ିଶାର ଅନ୍ୟତମ ଯାତ୍ରା ମହାକୁମ୍ଭ ବରୁଣେଶ୍ୱର ମେଳା। ବରୁଣେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ଏହି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଯାତ୍ରାର ଏକ ଅଘୋଷିତ ମହାସମର ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ମଧ୍ୟ ଯୁଦ୍ଧ ପାଇଁ ସଜବାଜ ହେଲେଣି ଯାତ୍ରାଦଳଗୁଡ଼ିକ। ଆଜିଠାରୁ ଆରମ୍ଭ ହେବ ଯାତ୍ରା। ବିଗୁଲ ବାଜି ସାରିଛି। ମଞ୍ଚ ବନ୍ଧା ସରିଛି। ଦର୍ଶକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଉ ସେହି ଉତ୍କଣ୍ଠାର ଶୀର୍ଷରେ ରହିଛି ଅପେରା ସୂର୍ଯ୍ୟମନ୍ଦିର। ଅପେରା ସୂର୍ଯ୍ୟମନ୍ଦିର ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆସିଛି ବରୁଣେଶ୍ୱରକୁ। ଅନୁଷ୍ଠାନର ପରିଚାଳକ ବଙ୍କିମ ସ୍ବାଇଁ କହନ୍ତି : ଦଳ ଏଥର ବରୁଣେଶ୍ୱରରେ ତା’ର ଚର୍ଚ୍ଚିତ ନାଟକ ‘ମାୟାବିନୀ ମୌସୁମୀ’କୁ ଅସ୍ତ୍ର କରିଛି। ପ୍ରତି କ୍ୟାମ୍ପରେ ଏହି ନାଟକ ତା’ର ସଫଳତାର ଯାତ୍ରା ଜାରି ରଖିଛି। ଆଉ ବରୁଣେଶ୍ୱରରେ ମଧ୍ୟ ତାହାକୁ ରିପିଟ୍‌ କରିବ ବୋଲି ପରିଚାଳକଙ୍କ ମତ। ନାଟକଟି ଏକ ନାରୀ କୈନ୍ଦ୍ରିକ ନାଟକ। ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ ସମାଜ କାନ୍ଦେ। ଯେତେବେଳେ ନାରୀ ଆଖିରୁ ଲୁହ ଝରେ, ତା’ ନାକପୁଡ଼ାରୁ ତତଲା ନିଃଶ୍ୱାସ ବାହାରେ ସେତେବେଳେ ପୁରୁଷ ପ୍ରାଧାନ୍ୟ ସମାଜ ଧ୍ୱଂସ ହୋଇଯାଏ। ଏହା ହେଉଛି ନାଟକର ପ୍ରଚ୍ଛଦ କାହାଣୀ। ଏଥିରେ ଅଛି ଭାଇ ଭାଇର ପ୍ରେମ, ସନ୍ଦେହ, ପିତାର ଆଦର୍ଶ, ସାବତ ମା’ର ଈର୍ଷା, ବଡ଼ଭାଇର ତ୍ୟାଗ, ସ୍ବାମୀ ସ୍ତ୍ରୀ ମଧ୍ୟରେ ଭୁଲ ବୁଝାମଣା, ପ୍ରେମିକାର ଅନନ୍ୟ ପ୍ରେମ, ଖଳନାୟକର କୁତ୍ସିତ ଷଡ଼ଯନ୍ତ୍ର, ଦାରିଦ୍ର୍ୟର ଯନ୍ତ୍ରଣାରେ ଛଟପଟ ହେଉଥିବା ଭାଇ, ପୁରୁଷ ପୀଡ଼ିତା ଯାଜ୍ଞସେନୀର କଠୋର ପ୍ରତିଜ୍ଞା ପୁଣି ପରିସ୍ଥିତିର ନିଅଁାରେ ଜଳି ଛଟପଟ ହେଉଥିବା ମଣିଷମାନଙ୍କର କାହାଣୀ। ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଯାତ୍ରା ଜଗତର ଲାସ୍ୟମୟୀ ଅଭିନେତ୍ରୀ ବେବିନା। ଶ୍ରାବଣୀ ଚରିତ୍ରରେ ସେ ମଞ୍ଚକୁ ଆସୁଛନ୍ତି। ଆଉ ରାତିସାରା ଦର୍ଶକଙ୍କ ଆଖିରେ ଶ୍ରାବଣର ବନ୍ୟା ବୁହାଉଛନ୍ତି। ନାଟ୍ୟକାର ଅଧ୍ୟାପକ ଚିନ୍ମୟ ଦାସ ନାଟକଟିକୁ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି କିଶୋର ଖଣ୍ଡୁଆଳ। ବିକାଶ ଶୁକ୍ଳାଙ୍କ ସଂଯୋଜିତ ସଂଗୀତ ପାଇଁ ଗୀତ ରଚନା କରିଛନ୍ତି ନିଗମ ମିଶ୍ର। ନୃତ୍ୟ ବିଭାଗରେ ଅଛନ୍ତି ବାପି ସାର୍‌। ବିନୋଦ, ବେବିନା, ପୀୟୂଷ, ରୀନା, ଲିଜା, ପୂଜା, ବିନି, ସାଇ ସୁରଜ, ଦୀପକ ବୋଷ, ଅଭି, ବ୍ରଜ, ବାପି, ଟୁକୁ ଏବଂ ଆକାଶ ପ୍ରମୁଖଙ୍କ ଅଭିନୟ ବରୁଣେଶ୍ୱରର ଦର୍ଶକମାନଙ୍କ ଆଖିରେ ମୌସୁମୀର ମାୟା ରଚିବ ବୋଲି ଅନୁଷ୍ଠାନ ବେଶ୍‌ ଆଶାବାଦୀ। ବରୁଣେଶ୍ୱର ମେଳାକୁ ଆସୁଥିବା ଅନ୍ୟ ଯାତ୍ରା ଅନୁଷ୍ଠାନ ମଧ୍ୟରେ ରହିଛନ୍ତି ଶିବାନୀ ଗଣନାଟ୍ୟ, ଯାତ୍ରା ନିୟୁ ସଚ୍ଚିଦାନନ୍ଦ, ରାଜଧାନୀ ଅପେରା ଏବଂ ଯାତ୍ରା ସ୍ବର୍ଣ୍ଣମହଲ।

Share