ବର୍ଜ୍ୟବସ୍ତୁରେ କରୋନା ଯୋଦ୍ଧା ଶହୀଦ ସ୍ମୃତିସ୍ତମ୍ଭ

ରୂପ୍‌ସା, ୨୬।୪(ଡି.ଏନ.ଏ.)-ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଥିବା ବେଳେ ସୁରକ୍ଷା ଦେବା ପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ପ୍ରଶାସନିକ ଅଧିକାରୀ ଓ ସମାଜସେବୀ ଆଗେଇ ଆସିଛନ୍ତି। ବହୁ ଚିତ୍ରଶିଳ୍ପୀ ମଧ୍ୟ ନିଜ ନିଜ ସ୍ତରରେ ସଚେତନତା ସୃଷ୍ଟି କରିଚାଲିଛନ୍ତି। ବହୁ ଡାକ୍ତର, ପୋଲିସ, ସ୍ବାସ୍ଥ୍ୟକର୍ମୀ କରୋନା ସହ ଲଢି ନିଜେ ଆକ୍ରାନ୍ତ ହୋଇଯାଉଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ପ୍ରାଣ ବଳିଦାନ ଦେଇଛନ୍ତି। ସେମାନେ ଆମ ଦେଶ ପାଇଁ ଜଣେ ଜଣେ ଶହୀଦ। ଶହୀଦଙ୍କୁ ସମ୍ମାନ ଜଣାଇ ବାଲେଶ୍ୱର ଜିଲା ସଦର ବ୍ଲକର ଦୁବୁଲାଗଡ଼ି ଗ୍ରାମର ଶିଳ୍ପୀ କେଶୁଦାସଙ୍କ ପରିବାର ଏକ କରୋନା ଯୋଦ୍ଧା ଶହୀଦ ସ୍ମୃତି ସ୍ତମ୍ଭ ତିଆରି କରିଛନ୍ତି। ଲକ୍‌ଡାଉନ ସମୟରେ ପାଖରେ କୌଣସି ଉପକରଣ ପାଇ ନ ଥିଲେ ମଧ୍ୟ ନିଜ ଘରେ ଥିବା ଅଦରକାରୀ ବର୍ଜ୍ୟବସ୍ତୁକୁ ନେଇ ତିଆରି କରିଛନ୍ତି ୬ ଫୁଟ୍‌ ଉଚ୍ଚତାର ଏକ ସ୍ମୃତିସ୍ତମ୍ଭ। ଏଥିରେ ଭଙ୍ଗା ଟାଇଲ, ଇଟା, କାଠ ପଟା, ଟାୟାର, ସିମେଣ୍ଟ ଓ ଟିଣ ଆଜବେଷ୍ଟସ, ସିମେଣ୍ଟ ନନ୍ଦ, ପାଣିକୁଣ୍ଡ, ଭଙ୍ଗା ଟିଭି ଡିସ୍‌ ଆଦିକୁ ନେଇ ଆକର୍ଷଣୀୟ ସ୍ତମ୍ଭଟିଏ ଗଢ଼ିଛନ୍ତି। ନିଜ ବାସଭବନ ପରିସରରେ ଏହାକୁ ଗଢ଼ିବା ପାଇଁ ପରିବାରର ବଡ଼ଭାଇ ପତିତପାବନ ଦାସ, ପୁତୁରା ଭକ୍ତଚରଣ ଦାସ, ପୁଅ ଅଙ୍କିତ ଦାସ ଓ ନାତି ରାଖାଲ ମାଇତି ପ୍ରମୁଖ ସହଯୋଗ କରିଥିଲେ। ଏହା କରୋନା ଯୋଦ୍ଧାଙ୍କ ପାଇଁ ପ୍ରଥମ ଶହୀଦ ସ୍ମୃତି ସ୍ତମ୍ଭ ବୋଲି ଶିଳ୍ପୀ ଦାସ ଦାବି କରିଛନ୍ତି। ଆଗାମୀ ଦିନରେ ଏହାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରାଯାଇ କରୋନା ଶହୀଦମାନଙ୍କର ପ୍ରତିମୂର୍ତ୍ତି ଓ ବିବରଣୀ ସବୁ ସ୍ଥାନିତ କରାଯିବ ବୋଲି ସୂଚନା ଦେଇଛନ୍ତି।