ବର୍ଜ୍ୟ ପରିଚାଳନା ପାଇଁ କରିବେ ସଚେତନ

ଭୁବନେଶ୍ୱର, ୧ା୧୨(ବ୍ୟୁରୋ)

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି)ରେ ନିୟୋଜିତ ସ୍ବଚ୍ଛସାଥୀମାନଙ୍କୁ ଶୁକ୍ରବାର ବିଏମ୍‌ସି ଉତ୍ତର ଜୋନାଲ ଅଫିସ୍‌ରେ ତାଲିମ ଦିଆଯାଇଛି। ୧୧ଟି ଓ୍ବାର୍ଡରୁ ୩୮ ଜଣ ସ୍ବଚ୍ଛସାଥୀ ତାଲିମ ପାଇଛନ୍ତି। ଭୁବନେଶ୍ୱରକୁ ସ୍ବଚ୍ଛ ଓ ସବୁଜ ସୁନ୍ଦର କରିବା ପାଇଁ ଏହି କାର୍ଯ୍ୟକୁ ସ୍ବଚ୍ଛସାଥୀମାନେ ଉତ୍ସାହର ସହ କରିବା ଆବଶ୍ୟକ ବୋଲି ତାଲିମ ଅବସରରେ ଉତ୍ତର ଜୋନ୍‌ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ସ୍ବଚ୍ଛସାଥୀ ନିଜ ଅଞ୍ଚଳର ୬୦୦ ପରିବାରକୁ ବର୍ଜ୍ୟ ପରିଚାଳନା ବିଷୟରେ ସଚେତନ କରାଇବେ। ସେମାନଙ୍କୁ ମାସକୁ ୪ହଜାର ଟଙ୍କା ଲେଖାଏ ଦେବାକୁ ବିଏମ୍‌ସି ସ୍ଥିର କରିଛି। ୪ ସ୍ବଚ୍ଛସାଥୀଙ୍କ ୧୬ହଜାର ଟଙ୍କା ସିଧାସଳଖ ଗ୍ରୁପକୁ ମିଳିବ ବୋଲି ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ସେ କହିଛନ୍ତି, ଏସ୍‌ଏଚ୍‌ଜି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଏମ୍‌ସି ଏହି କାର୍ଯ୍ୟ ହାତକୁ ନେଇଛି। ସ୍ବଚ୍ଛସାଥୀଙ୍କ ବ୍ୟତୀତ ଗ୍ରୁପ୍‌ର ଅନ୍ୟ ଯେଉଁମାନେ ଏମ୍‌ସିସି ଦାୟିତ୍ୱରେ ରହିବେ ସେମାନେ ଏମ୍‌ସିସିରୁ ବାହାରୁଥିବା ଖତରୁ ପାଖାପାଖି ୨୪ରୁ ୨୫ହଜାର ଟଙ୍କା ରୋଜଗାର କରିପାରିବେ। ତେବେ ଗୋଟିଏ ଗ୍ରୁପ୍‌ ଯିଏ ଏକ ଏମ୍‌ସିସି ଦାୟିତ୍ୱ ନେବ ସେମାନଙ୍କର ମାସକୁ ୪୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ହୋଇପାରିବ। ଉକ୍ତ ଅର୍ଥ ସିଧାସଳଖ ଗ୍ରୁପ୍‌ ଆକାଉଣ୍ଟକୁ ଯିବ। ସ୍ବଚ୍ଛସାଥୀଙ୍କ ସଚେତନତା ଦ୍ୱାରା ଆଗକୁ ସହରବାସୀ ବର୍ଜ୍ୟ ପରିଚାଳନା ଦିଗରେ ଅଭ୍ୟସ୍ତ ହେବେ। ବର୍ତ୍ତମାନ ଦୈନିକ ୫୦୦ ମେଟ୍ରିକ ଟନ୍‌ ବର୍ଜ୍ୟ ଭୁବନେଶ୍ୱରରୁ ବାହାରୁଛି, ଯାହାର ପରିଚାଳନା କରିବା କଷ୍ଟକର ହୋଇପଡ଼ୁଛି। ସ୍ବଚ୍ଛସାଥୀମାନେ ସଚେତନ କରି ବର୍ଜ୍ୟ ବିଭାଗୀକରଣ କରିବା ଦ୍ୱାରା ପରିଚାଳନାରେ ସହଯୋଗ କରିବ। ମୂଳସ୍ତରରୁ ଶୁଖିଲା ଏବଂ ଓଦା ବର୍ଜ୍ୟ ଅଲଗା ହୋଇଗଲେ ତାହା ପ୍ରକ୍ରିୟାକରଣରେ ସହାୟକ ହେବ। ଏମ୍‌ସିସିରେ ଓଦା ବର୍ଜ୍ୟକୁ ଅପଘଟନ କରି ଜୈବିକ ଖାଦ ଭାବେ ବ୍ୟବହାର କରିହେବ। ତା’ସହ ଶୁଖିଲା ଅଳିଆକୁ ପୁନଃଚକ୍ରଣ ପ୍ରକ୍ରିୟାରେ ବ୍ୟବହାର କରିହେବ। ଯଦ୍ଦ୍ବାରା ଭୁବନେଶ୍ୱର ବର୍ଜ୍ୟଶୂନ୍ୟ ସହର ଭାବେ ପରିଗଣିତ ହେବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଡେପୁଟି କମିଶନର ଶ୍ୟାମ ସୁନ୍ଦର ସେଠୀ, ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ଥିଲେ।

Share