ନୂଆଦିଲ୍ଲୀ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ନେଇ ଓ୍ବେଷ୍ଟଇଣ୍ଡିଜ୍ ତାରକା ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ ମୁହଁ ଖୋଲିଛନ୍ତି। କେବଳ ଫୁଟବଲରେ ବର୍ଣ୍ଣବୈଷମ୍ୟ ଭଳି କଳଙ୍କ ରହିଛି ତାହା ନୁହେଁ, କ୍ରିକେଟ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। କ୍ୟାରିୟରରେ ମୁଁ ମଧ୍ୟ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି ବୋଲି ସେ କହିଛନ୍ତି। ତେବେ ସେ ଏ ସଂକ୍ରାନ୍ତରେ ବିସ୍ତୃତ ଭାବେ କିଛି କହିନାହାନ୍ତି। ବିଶ୍ୱସ୍ତରୀୟ ଟି୨୦ ଲିଗ୍ ଖେଳିବା ଅବସରରେ ସେ ଏଭଳି ଆକ୍ଷେପର ଶିକାର ହୋଇଥାଇପାରନ୍ତି ବୋଲି ସୂଚନା ଦେଇଛନ୍ତି।
ସାରା ବିଶ୍ୱ ଭ୍ରମଣ କରି ବିଭିନ୍ନ ସ୍ଥାନରେ କ୍ରିକେଟ ଖେଳିଛି। ରଙ୍ଗ କଳା ହୋଇଥିବା କାରଣରୁ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି। ଇନ୍ଷ୍ଟାଗ୍ରାମରେ ସୋମବାର ରାତିରେ ସେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଫୁଟବଲ ଭଳି କ୍ରିକେଟରେ ମଧ୍ୟ ବର୍ଣ୍ଣବୈଷମ୍ୟବାଦ ରହିଛି।
ଉଲ୍ଲେଖଥାଉ କି, ଆମେରିକାରେ ଜର୍ଜ ଫ୍ଲଏଡ ନାମକ କୃଷ୍ଣକାୟ ବ୍ୟକ୍ତି ଜଣେ ଗୋରା ପୋଲିସ ଅଧିକାରୀ ଡେରେକ ଚୌଭିନ୍ଙ୍କ ଦ୍ୱାରା ହତ୍ୟାର ଶିକାର ହେବା ପରେ ବର୍ଣ୍ଣବୈଷମ୍ୟ ନେଇ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏଥିପାଇଁ ସାରା ଆମେରିକାରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି। ଜର୍ଜଙ୍କ ବେକ ଉପରେ ଆଣ୍ଠୁ ମାଡି ଡେରେକ ତାଙ୍କୁ ହତ୍ୟା କରିଥିଲେ। ସେ ନିଃଶ୍ୱାସ ନେବା ପାଇଁ ସଂଘର୍ଷ କରି ଶେଷରେ ବିଫଳ ହୋଇଥିଲେ।
ଗତ ବର୍ଷ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରୀ ନ୍ୟୁଜିଲାଣ୍ଡ ଦର୍ଶକଙ୍କ ଦ୍ୱାରା ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ। ଏଥିପାଇଁ ଅବଶ୍ୟ ନ୍ୟୁଜିଲାଣ୍ଡର କେତେକ ଆଗଧାଡିର ଖେଳାଳି ଓ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ କ୍ଷମା ପ୍ରାର୍ଥନା କରିଥିଲା।
ସୋମବାର ରାତିରେ ଇଂଲଣ୍ଡ କ୍ରିକେଟ ଦଳର ଅଫିସିଆଲ ଟୁଇଟର ହ୍ୟାଣ୍ଡଲ୍ରେ ଲେଖାଯାଇଥିଲା ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ଳୋଗାନ। ବିବିଧତା ପାଇଁ ଆମେ ଏକାଠି ଅଛୁ, ବର୍ଣ୍ଣବୈଷମ୍ୟ ବିରୋଧରେ ମଧ୍ୟ ଆମେ ଏକାଠି ଅଛୁ ବୋଲି ଟୁଇଟର ହ୍ୟାଣ୍ଡଲ୍ରେ ଲେଖା ଯାଇଥିଲା।