Categories: ଜାତୀୟ

ବର୍ଲିରେ ଲାଗିଲା ପୋଷ୍ଟର: ଆଦିତ୍ୟ ଭାବି ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ଭାଜପା ଓ ଶିବସେନାଙ୍କ ମେଣ୍ଟକୁ ଏହି ନିର୍ବାଚନରେ ବହୁମତ ମିଳିଛି। ଏହାରି ଭିତରେ ମହାରାଷ୍ଟ୍ରରେ କିଛି ଏଭଳି ପୋଷ୍ଟରକୁ ଦେଖିବାକୁ ମିଳିଛି, ଯେଉଁଥିରେ ଆଦିତ୍ୟ ଠାକରେ ଭାବି ମୁଖ୍ୟମନ୍ତ୍ରୀ ବୋଲି ଦାବି କରାଯାଇଛି। ବର୍ଲି ଆସନରୁ ବିଧାନସଭା ନିର୍ବାଚନ ଜିତିବା ପରେ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ ଦେଇ ଏହି ପୋଷ୍ଟର ଲଗାଯାଇଛି। ମହାରାଷ୍ଟ୍ରରେ ଏହି ନିର୍ବାଚନରେ ସବୁଠାରୁ ନୂଆ ଓ ଚର୍ଚ୍ଚିତ ଚେହେରା ହେଉଛନ୍ତି ଆଦିତ୍ୟ ଠାକରେ। ସେ ନିର୍ବାଚନ ଲଢ଼ି ଠାକରେ ପରିବାରର ପରମ୍ପରାକୁ ପରିବର୍ତ୍ତନ କରିଛନ୍ତି। କାରଣ ଶିବସେନାର ୫୩ବର୍ଷ ଇତିହାସରେ ଦଳର ମୁଖ୍ୟ ବାଲ ସାହେବ ଠାକରେ କି ତାଙ୍କର ଉତ୍ତରାଧିକାରୀ ଉଦ୍ଧବ ଠାକରେ କେବେ ବି ପ୍ରତ୍ୟେକ୍ଷ ଭାବେ ନିର୍ବାଚନ ଲଢ଼ି ନାହାନ୍ତି। ହେଲେ ପ୍ରଥମଥର ଠାକରେ ପରିବାରରୁ ଆଦିତ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜୟ ହୋଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ମେଣ୍ଟ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ୫୦-୫୦ ଫର୍ମୂଲାରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ନଜର ରଖିଛି। ଅନ୍ୟପଟେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନଭୀସ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶା ବାନ୍ଧିଛନ୍ତି।

Share