ବର୍ଷରେ ଥରେ ଖୋଲେ ଏହି ମନ୍ଦିର, ଜାଣନ୍ତୁ କାହିଁକି

ଦେଶରେ ଅନେକ ନାଗ ମନ୍ଦିର ରହିଛି, ଯେଉଁଠାରେ ତାଙ୍କର ପୂଜା କରାଯାଏ। କିନ୍ତୁ ଉଜ୍ଜୟିନୀରେ ଥିବା ଏକ ମନ୍ଦିର ସବୁଠାରୁ ଭିନ୍ନ। କାରଣ ଏହି ମନ୍ଦିରର ଦ୍ୱାର ବର୍ଷରେ ଥରେ ମାତ୍ର ଖୋଲିଥାଏ। ଉଜ୍ଜୟିନୀର ନାଗଚନ୍ଦ୍ରେଶ୍ୱର ମନ୍ଦିର ନାଗଦେବତାଙ୍କୁ ସମର୍ପିତ। ଏହି ମନ୍ଦିରଟି ମହାଦେବ ମନ୍ଦିରର ତୃତୀୟ ମହଲାରେ ଅବସ୍ଥିତ। ଏହି ମନ୍ଦିରର ନିର୍ମାଣ ରାଜା ଭୋଜ ୧୦୫୦ରେ କରିଥିଲେ। ଦଶ ଫଣା ଥିବା ନାଗ ଦେବତାଙ୍କ ମୂର୍ତ୍ତି ସହିତ ତାଙ୍କ ଫଣା ତଳେ ଭଗବାନ ଶଙ୍କର, ଦେବୀ ପାର୍ବତୀ ଓ ଗଣେଶ ବିରାଜମାନ ଅଛନ୍ତି। ଏହି ମୂର୍ତ୍ତିକୁ ନେପାଳରୁ ଅଣାଯାଇଥିଲା। ଏହି ମନ୍ଦିରର ଦ୍ୱାର ବର୍ଷରେ ଥରେ ନାଗପଞ୍ଚମୀ ଦିନ ଖୋଲିଥାଏ। କୁହାଯାଏ ଯେ ତକ୍ଷକ ନାମକ ନାଗ ଭଗବାନ ଶିବଙ୍କୁ ତପସ୍ୟା କରିଥିଲେ ଓ ଭଗବାନ ଶିବ ପସନ୍ନ ହୋଇ ତାଙ୍କୁ ଅମରବର ପ୍ରଦାନ କରିଥିଲେ। ତପସ୍ୟା ଭଙ୍ଗ ନ ହେବା ପାଇଁ ତକ୍ଷକ ଅଧିକ ସାଧନା ପାଇଁ ମହାକାଳ ବନକୁ ଚାଲିଯାଇଥିଲେ। ସେଥିପାଇଁ ଅନେକ ବର୍ଷରୁ ଏହି ପ୍ରଥା ଚାଲି ଆସୁଛି। ମାତ୍ର ନାଗପଞ୍ଚମୀ ଦିନ ସେ ଦର୍ଶନ ଦେଇଥାନ୍ତି। ମନ୍ଦିରରେ ସ୍ଥାପିତ ମୂର୍ତ୍ତିକୁ ନାଗଦେବତାଙ୍କ ରୂପରେ ପୂଜା କରାଯାଏ। ମାନ୍ୟତା ରହିଛି ଯେ କୌଣସି ବ୍ୟକ୍ତି ଏହି ନାଗଦେବତାଙ୍କୁ ଦର୍ଶନ କଲେ ସର୍ପଦୋଷରୁ ମୁକ୍ତି ପାଇଥାଏ। ପାଖାପାଖି ୨ ଲକ୍ଷ ଭକ୍ତ ନାଗପଞ୍ଚମୀ ଦିନ ନାଗଦେବଙ୍କୁ ଦର୍ଶନ କରିଥାନ୍ତି।

Share