ବର୍ଷାଦିନ ପୂର୍ବରୁ ହେଉ ରାସ୍ତା ନିର୍ମାଣ: ଜିଲାପାଳଙ୍କୁ ଭେଟିଲେ ଇଟାଗଡ଼ି ଗଁ। ଲୋକେ

ତିହିଡ଼ି, ୭।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଇଟାଗଡ଼ି ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି ତାହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଗଁ। ଲୋକେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ବର୍ଷାଦିନ ପୂର୍ବରୁ ଗଁ।କୁ ରାସ୍ତା ନିର୍ମାଣ ଲାଗି ସେମାନେ ଦାବି କରିଛନ୍ତି।
ପ୍ରକାଶ ଯେ, ଇଟାଗଡ଼ି ଗ୍ରାମକୁ ରାସ୍ତା ନ ଥିବା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାସ ଗତ ମାସ ୩୦ ତାରିଖରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ତିହିଡ଼ି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତିହିଡ଼ି ପଞ୍ଚାୟତ ସମିତି ପକ୍ଷରୁ ଏହାର ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ଜୟପୁରଠାରୁ ଇଟାଗଡ଼ି ପର୍ଯ୍ୟନ୍ତ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି। ଭଲ ରାସ୍ତା ତିଆରି ନ ହେଲେ ବର୍ଷାଦିନେ ମାଟି ରାସ୍ତାରେ ଚାଲିବା କଷ୍ଟକର ହୋଇପଡ଼ିବ। ଏପରିକି ଜରୁରୀ ପରିସ୍ଥିତିରେ ଦମକଳ କିମ୍ବା ଆମ୍ବୁଲାନ୍ସ ଉକ୍ତ ରାସ୍ତା ଦେଇ ଯାଇପାରିବ ନାହିଁ। ଯାହାଦ୍ୱାରା ଧନଜୀବନ ହାନି ଘଟିବାର ଆଶଙ୍କା ରହିଛି। ସ୍କୁଲ ପିଲାମାନେ ମଧ୍ୟ ରାସ୍ତାରେ ଯାତାୟାତ କରିବାରେ ସମସ୍ୟାର ସମ୍ମୁଖୀନ ହେବେ। ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ରାଶନ ସାମଗ୍ରୀ ଆଣିବା କଷ୍ଟସାଧ୍ୟ ହେବ। ଏହି ପରିପ୍ରେକ୍ଷୀରେ ଗଁ।ରେ ବସବାସ କରୁଥିବା ୨ ହଜାର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ କରାଯିବାକୁ ଗଣେଶ ପ୍ରସାଦ ରାଉତ, ଅଭିଷେକ ଖଟୁଆ, ଧନେଶ୍ୱର ଗଣ, ଜ୍ଞାନରଞ୍ଜନ ଦାସ ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଜିଲାପାଳ ଜ୍ଞାନରଞ୍ଜନ ଦାସ ରାସ୍ତା ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଗ୍ରାମବାସୀଙ୍କୁ କହିଥିବା ଜଣାଯାଇଛି।