ବର୍ଷାରେ ଘର ଭାଙ୍ଗିଲା, ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

କିର୍ମିରା, ୧୩।୯ (ଡି.ଏନ୍‌.ଏ.)- ଝାରସୁଗୁଡା ଅନ୍ତର୍ଗତ କିର୍ମିରା ଗ୍ରାମରେ ବୁଧବାର ରାତିରୁ ବର୍ଷା ଲାଗି ରହିଥିବାରୁ ଗ୍ରାମର ଜଞ୍ଜ ନେଟୀ, ରୁକ୍ମଣୀ ଧୁରୁଆ, ଗଙ୍ଗା କଛରିଆଙ୍କ ଘର ଭାଙ୍ଗିଯାଇଛି। ଏହା ପୂର୍ବରୁ ବର୍ଷା ଯୋଗୁଁ ଧନମତୀ ଚାରଦିଆ, ବୁଟରୁ ବାଗଙ୍କ ଘର ମଧ୍ୟ ଭାଙ୍ଗିଯାଇଥିଲା। ଏହାବ୍ୟତୀତ ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଗଁା ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିଲା। କିର୍ମିରା ବୁଟୁପାଲି ରାସ୍ତାର ନାଳା ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଦିନତମାମ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କିର୍ମିରା ସରପଞ୍ଚ ରୀନା ନାୟକ ଗ୍ରାମ ପରିଦର୍ଶନରେ ଆସି ଲୋକଙ୍କ ଭଙ୍ଗା ଘର ସବୁ ବୁଲି ଦେଖିଥିଲେ। ରାସ୍ତାରେ ପାଣି ଜମା ହେଉଥିବାରୁ ରାସ୍ତାର ଦୁଇପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା କରିବା ଏବଂ ଘରଭଙ୍ଗା ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।