ବର୍ଷାରେ ଜୀବନଜୀବିକା

କେନ୍ଦୁଝର,୯।୮(ସ୍ବ.ପ୍ର.)-କେନ୍ଦୁଝରରେ ଲଗାଣ ବର୍ଷାରେ ରାସ୍ତାଘାଟ, ହାଟବଜାର ଆଦିରେ ବିଭିନ୍ନ ରକମର ଛତୁ ଓ ଚୁନା ମାଛ ଅନେକ ସ୍ଥାନରେ ମିଳୁଛି। ଏହି ପାହାଡି ଇଲାକାରେ ଏହି ସମୟରେ ବିଭିନ୍ନ ପ୍ରକାରର ଛତୁ ଫୁଟିଥାଏ। କେତେକ ଜଙ୍ଗଲରୁ ଛତୁକୁ ସଂଗ୍ରହ କରି ନିଜେ ଖାଇବା ସହ ବଜାରରେ ବିକି ପରିବାର ଚଳାଇଥାନ୍ତି। ସେହିପରି ବର୍ଷା ଲାଗି ନଦୀନାଳରେ ଛୋଟବଡ ମାଛ ଉଠିଥାନ୍ତି। ଏହି ମାଛକୁ ଧରି ମଧ୍ୟ ଅନେକ ଲୋକେ ଗୁଜୁରାଣ କରିଥାନ୍ତି। ଏମିତି ଏହି ଆଦିବାସୀ ଲୋକଙ୍କ ତେଲ ଲୁଣ ସଂସାର ଚଳେ। ଏହି ମାଛ ଖାଇବାକୁ ବେଶ ସୁଆଦିଆ ଏବଂ ସତେଜ ହୋଇଥାଏ। ସେଥିଲାଗି ଏନଏଚ ୨୦ର ବଡପଶି କଡରେ ଜଙ୍ଗଲରୁ ସଂଗ୍ରହ କରିଥିବା ଛତୁ ଧରି ଲୋକ ମାନେ ବସି ବିକ୍ରି କରୁଥିବା ବେଳେ ଯାତାୟାତ କରୁଥିବା ଲୋକ ମାନେ ଓହ୍ଲାଇ କିଣି ନେଇଥାନ୍ତି। ସେହିପରି ଗୋପାଳପୁର ନିକଟରେ କାଣିଝରୀ ନଦୀ ଓ ଡ୍ୟାମ ନିକଟରୁ ଚୁନା ମାଛ ଧରି ରାସ୍ତା କଡ଼ରେ ଗ୍ରାହକଙ୍କୁ ଅପେକ୍ଷା କରିଥାନ୍ତି।