Advertisement
Categories: କନ୍ଧମାଳ

ବର୍ଷାରେ ଧୋଇଗଲା ପୋଲ ଉପର ରାସ୍ତା

ଦାରିଙ୍ଗବାଡ଼ି,୨୮ା୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତବିଭାଗର ଗଦଡ଼ି ପୋଲ ରାସ୍ତା ପାର୍ଶ୍ୱ ଧୋଇଯିବା ଫଳରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଉକ୍ତ ରାସ୍ତା ଦେଇ ଯାତ୍ରୀବାହୀ ବସ୍‌ ଚଳାଚଳରେ ସମସ୍ୟା ଦେଖାଦେଇଛି। ନିର୍ମାଣର ୨ବର୍ଷ ନପୂରୁଣୁ ରାସ୍ତା ଧୋଇଯିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ଅଞ୍ଚଳର ଶ୍ୟାମଘନ ପ୍ରଧାନଙ୍କ ସମେତ ରାଜେଶ ମହାପାତ୍ର, ମନୋରଞ୍ଜନ ବାଡତିଆ ପ୍ରମୁଖ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତାରେ ଦୈନିକ ଦାରିଙ୍ଗବାଡ଼ି ଠାରୁ ଭୁବନେଶ୍ୱର ସମେତ ରାଇକିଆ, ଫୁଲବାଣୀ, ଜି.ଉଦୟଗିରି ଅଞ୍ଚଳକୁ ଏକାଧିକ ବସ ଚଳାଚଳ କରିଥାଏ।
ସୂଚନାଯୋଗ୍ୟଯେ, ସିମନବାଡ଼ି ଠାରୁ ରାଇକିଆ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯାଇଛି। ବାଡାବାଙ୍ଗା ଏବଂ ଗଦଡିଠାରେ ବିଭାଗ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ବିଭିନ୍ନ ଠିକାସଂସ୍ଥା ଦ୍ୱାରା କରାଯାଇଥିବାବେଳେ ଏବେ ଗଦଡ଼ି ପୋଲ ରାସ୍ତା କାମ ନିମ୍ନମାନର ଯୋଗୁ ଲୋକେ ଯାତାୟାତ କରିବାକୁ ସୁରକ୍ଷିତ ମଣୁନାହାନ୍ତି। ସେହିପରି ଗତ କିଛିମାସ ହେଲା ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିବା ପରେ ପୂର୍ତ୍ତ ବିଭାଗ ଉକ୍ତ ରାସ୍ତା ସମ୍ପ୍ରସାରଣ କିମ୍ବା ମରାମତିରେ ବିଳମ୍ବ କରୁଛି। ଏହାକୁ ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ଦେଖାଯାଇଛି। ଏନେଇ ପୂର୍ତ୍ତବିଭାଗ ଦାରିଙ୍ଗବାଡ଼ି ସେକ୍ସନର ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ରଜକିଶୋର ମାହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଉକ୍ତ ପୋଲର ଉପରଭାଗ ଧୋଇହୋଇଯିବା ସହ ବିପଦପୂର୍ଣ୍ଣ ରହିଥିବା ଜାଣି ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଏବେ ବାଲିଗୁଡ଼ା ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଇ ଅନୁଦାନ ନେଇ ଶୀଘ୍ର ମରାମତି କରିବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel